ମେଣ୍ଟ ଚର୍ଚ୍ଚା: ‍ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

Bhubaneswar: ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଆଜି ପୁଣି ଥରେ ନୂଆମୋଡ଼ ନେଇଛି । ମେଂଟକୁ ନେଇ ଗତ ଦୁଇଦିନ ଧରି ଚାଲିଥିବା ରାଜନୀତିକ ହଟଚମଟ ଓ ସମ୍ଭାବ୍ୟ ମେଂଟ ଚର୍ଚ୍ଚାରେ ପୁଣିଥରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପୂର୍ବରୁ ମାର୍ଚ୍ଚ ୧ତାରିଖରେ ଦିଲ୍ଲୀରୁ ଫେରି ମନମୋହନ ସମ୍ଭାବ୍ୟ ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ରାଜ୍ୟ ବିଜେପି ପକ୍ଷରୁ ଆନୁଷ୍ଠାନିକ ଭାବେ ଦୁଇଥର ମେଂଟ ସମ୍ଭାବନାକୁ ଖାରଜ କରାଯାଇଥିଲେ ମଧ୍ୟ ବିଜେଡି ଅସ୍ୱାଭାବିକ ନିରବତା ଅବଲମ୍ବନ କରିଛି । ବିଜେପି ରାଜ୍ୟ ନେତୃତ୍ୱଙ୍କ ଏଭଳି ଦମ୍ଭୋକ୍ତି ସତ୍ତ୍ୱେ ରାଜ୍ୟରେ ବିଜେଡି ସହ ମେଂଟକୁ ନେଇ ଏବେବି ସସପେନ୍ସ ଲାଗି ରହିଛି । ଆଉ ରାଜ୍ୟରେ ମେଂଟ ପାଇଁ ଆଗ୍ରହୀ ଥିବା ବିଜେଡି ଉପରେ ଚାପ ପକାଇ ନିଜ ପସନ୍ଦ ମୁତାବକ ଆସନ ନେବାକୁ ବିଜେପିର ଏହା ରଣନୀତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ୩ ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ମେଂଟକୁ ନେଇ କୌଣସି ପ୍ରକାରର ଆଲୋଚନା ଦିଲ୍ଲୀରେ ହୋଇନାହିଁ । ବିଜେପି ରାଜ୍ୟରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ । ଗତ ଦୁଇଦିନ ଧରି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେଉଥିଲା । ବିଜେଡି ସହ ମେଂଟ ପାଇଁ କୌଣସି ପ୍ରକାରର ଆଲୋଚନାକୁ ସେ ଫାଙ୍କି ଦେଇଥିଲେ । ଗତ ମାର୍ଚ୍ଚ ୧ ତାରିଖରେ ସେ ଦେଇଥିବା ବୟାନକୁ ମଧ୍ୟ ଦୋହରାଇଥିଲେ । ତାଙ୍କ ପୂର୍ବରୁ ପୂର୍ବାହ୍ନରେ ରାଜ୍ୟ ବିଜେପି ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମେଂଟ କେବଳ କପୋଳକଳ୍ପିତ । ମେଂଟ ନେଇ କୌଣସି ନିଷ୍ପତ୍ତି କିମ୍ବା ଆଲୋଚନା ହୋଇନାହିଁ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିଲେ ଭଲ ପ୍ରଦର୍ଶନ କରିବ ବୋଲି ସ୍ପଷ୍ଟ ଭାବେ କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ରାଜ୍ୟ ନେତୃତ୍ୱ ମତ ରଖିଛନ୍ତି । ମେଂଟକୁ ନେଇ କେବଳ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News