ବାଲି ମାଫିଆ ଖଣି କର୍ମଚାରୀ ଙ୍କ ସହ ମଧୁଚନ୍ଦ୍ରିକା ରଖି ବେଧଡ଼କରେ ବାଲି ଚୋରି ମାଲେମାଲ

** ରାଜସ୍ବ ହରାଉଛନ୍ତି ସରକାର

୯୮ରୁ ୬୩ଟି ଲିଜ୍, ୩୫ ବାଲିଘାଟ ଲିଜ୍ ହୋଇନାହିଁ

କଳାହାଣ୍ଡି,୬|୪(ପ୍ୟାରିଲାଲ ଦୁର୍ଗା ):କଳାହାଣ୍ଡି ଜିଲ୍ଲାରେ ବେଧଡ଼କ ବାଲି ଚୋରି ହେଉଛି। ବହୁ ସ୍ଥାନରେ ଲିଜ ହୋଇ ନଥିବା ବେଳେ ଖୋଲାଖୋଲି ଭାବେ ସେଠାରୁ ବାଲି ଚାଲାଣ ହେଉଛି। ଅନ୍ୟପକ୍ଷରେ କମ ଲିଜ ଦର୍ଶାଇ ଅଧିକ ବାଲି ଉଠାଣ ହେଉଥିଲେ ମଧ୍ୟ ବାଲି ମାଫିଆ ଓ ଖଣିବିଭାଗ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟ ସରକାର ରାଜସ୍ଵ ହରାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ଘଟଣା ସାଧାରଣରେ ଉଦବେଗ ପ୍ରକାଶ ପାଇଛି |ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ବେଧଡ଼କ ବାଲି ଚୋରି ହେଉଥିବା ବେଳେ ଜିଲ୍ଲା ପ୍ରଶାସନ କେବଳ ଲୋକ ଦେଖାଣିଆ ଚଡ଼ଉ କରୁଛି | କୋଟି କୋଟି ଟଙ୍କା ରାଜସ୍ଵ ହରାଉଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ଜରିମାନା ଆଦାୟ କରି ନିଜର ଦାୟିତ୍ଵ ସାରିଦେଉଛନ୍ତି। ଏଥିଯୋଗୁଁ ବାଲି ମାଫିଆମାନେ ଲିଜ ଆଳରେ ବାଲି ଚୋରି କରୁଥିବା ଅଭିଯୋଗ ହୋଇଛି |କଳାହାଣ୍ଡି ଜିଲ୍ଲାରେ ବାଲି ମାଫିଆମାନଙ୍କ ଦୌରାତ୍ମ୍ୟ ଯୋଗୁଁ ରାଜ୍ୟ ବାହାରକୁ ବାଲି ଚାଲାଣ ହେଉଛି | ଲିଜ ନେଇଥିବା ଅଞ୍ଚଳରୁ ଢେର ଅଧିକ ବାଲି ଉଠାଣ କରି ଖୁଲମଖୁଲା ରାଜ୍ୟ ସରକାରଙ୍କ ରାଜସ୍ବ ଲୁଟ ହେଉଛି |ମେସିନ ଲଗାଇ ବାଲି ଉଠାଣ ନିମନ୍ତେ କୌଣସି ନିୟମ ନଥିଲେ ମଧ୍ୟ ଲିଜଧାରୀମାନେ ଏହାର ଖୋଲା ଖୋଲି ଉଲଂଘନ କରୁଛନ୍ତି | ତେଲ ନଦୀ, ଉଦନ୍ତୀ ନଦୀ, ହାତୀ ନଦୀ, ଶଗଡ଼ା ନଦୀ ସମେତ ବହୁ ନଦୀରୁ ଲିଜ ଆଳ ଦେଖାଇ ଲିଜ ବାହାରେ ଅଧିକ ବାଲି ଉଠାଣ ହେଉଛି | ଏଥିରେ ଖଣି ବିଭାଗ କର୍ମଚାରୀମାନଙ୍କ ମଧୁଚନ୍ଦ୍ରିକା ଥିବା ଯୋଗୁଁ ଗ୍ରାମବାସୀମାନେ ଅଭିଯୋଗ କଲେ ମଧ୍ୟ ଲିଜଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପରିବର୍ତ୍ତେ ସୁରକ୍ଷା ପ୍ରଦାନ କରାଯାଉଛି। ବାରମ୍ବାର ଜରିମାନା କରାଗଲେ ମଧ୍ୟ ଜରିମାନା ଦେଉନାହାଁନ୍ତି । ଅନ୍ୟପକ୍ଷରେ ଲିଜ ନଥାଇ ମଧ୍ୟ ବେଧଡକ ଭାବରେ ବାଲି ଉଠାଣ ଚାଲିଛି |କେବଳ ଟ୍ରାକ୍ଟର ଓ ହାଇୱାକୁ ଧରି ଜରିମାନା ଆଦାୟ କରୁଥିବାବେଳେ ଲିଜଧାରୀଙ୍କ ବିରୋଧରେ ବେଆଇନ ବାଲି ଉଠାଣ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଲିଜଧାରୀମାନେ ରାଜନେତାମାନଙ୍କ ଛତ୍ରଛାୟା ତଳେ ଥିବାଯୋଗୁଁ ଅବାଧରେ ବାଲି ଲୁଟ କରୁଛନ୍ତି। ରାଜନେତାମାନଙ୍କୁ ଚାନ୍ଦା ଦେଉଥିବା ଯୋଗୁଁ ନେତାମାନେ ସେମାନଙ୍କୁ ଫୁଲ ଦମରେ ସୂରକ୍ଷା ଯୋଗାଉଛନ୍ତି। ଏପରିକି ପ୍ରଶାସନିକ ଅଧିକାରୀମାନଙ୍କୁ ଫୋନ କରି କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ନାଲି ଆଖି ମଧ୍ୟ ଦେଖାଉଥିବା ଅଭିଯୋଗ
ହେଉଛି | କଳାହାଣ୍ଡି ଜିଲ୍ଲାର ଜୁନାଗଡ, କେସିଙ୍ଗା, ଧର୍ମଗତ, ଗୋଲାମୁଣ୍ଡା, କଲମପୁର, ଭବାନୀପାଟଣା, ଜୟପାଟଣା ପ୍ରଭୃତି ବ୍ଲକରେ ବାଲି ଲୁଟ ଅଧିକ ମାତ୍ରାରେ ଚାଲିଛି | କଳାହାଣ୍ଡି ଜିଲ୍ଲାରୁ ଏହି ବାଲି ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ମଧ୍ୟ ଚାଲାଣ ହେଉଥିବା ନଜର ରହୁଛି| କଳାହାଣ୍ଡି ଜିଲ୍ଲାରେ ୯୮ଟି ବାଲିଘାଟ ଥିବାବେଳେ ସେଥିମଧ୍ୟରୁ ୬୩ଟି ବାଲିଘାଟ ଲିଜ ହୋଇଛି | ୩୫ଟି ବାଲିଘାଟ ଲିଜ ହୋଇନାହିଁ। ଏହି ୩୫ଟି ଲିଜ ହୋଇ
ନଥିବା ବାଲିଘାଟରୁ ବାଲି ଚାଲାଣ ହେଉଥିବାବେଳେ ଖଣି କର୍ମଚାରୀ ମାଫିଆମାନଙ୍କ ସହିତ ମିଶି ରାଜସ୍ଵ ହରିଲୁଟ କରୁଥିବା ସଂଗୀନ ଅଭିଯୋଗ ହେଉଛି |ଅନ୍ୟପକ୍ଷରେ ୬୩ଟି ବାଲିଘାଟ ଲିଜ ଅଞ୍ଚଳରୁ ଅଧିକ ବାଲି ଉଠାଣ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ସରଜମିନ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି |

ପ୍ୟାରିଲାଲ ଦୁର୍ଗା,କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page