ବାଲୁଗାଁ ପୁରୁଣା ଏସ. ଡି. ପି ଓ. ଅଫିସ ପଛ ରାସ୍ତା ପାଲଟିଛି ନର୍କ, ଦୁର୍ଗନ୍ଧରେ ଫାଟୁଛି ନାକ ।ନୀରବଦ୍ରଷ୍ଟା ପାଲଟିଛି ପ୍ରଶାସନ

ବାଲୁଗାଁ(ଖୋର୍ଦ୍ଧା ଜିଲ୍ଲା)୧୨।୯:ବାଲୁଗାଁ ବିଜ୍ଞାପିତ ପରିଷଦ ଅନ୍ତର୍ଗତ ପୁରୁଣା ଏସଡିପିଓ ଅଫିସ ପଛପଟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଯାଏଁ ପାଣି ଜମି ରହୁଛି ।ପାଣି ନିଷ୍କାସନ ପାଇଁ କୌଣସି ଡ୍ରେନ୍ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ଦିନ ଦିନ ଧରି ରାସ୍ତା ଉପରେ ଜମି ରହୁଛି ।
ଫଳରେ ସ୍ଥାନୀୟ ଲୋକେ ଯିବା ଆସିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହି ରାସ୍ତା ଦେଇ ପ୍ରତିଦିନ ଗାଡ଼ି, ସ୍କୁଲ ଛାତ୍ରଛାତ୍ରୀ ଓ କଲେଜ ପିଲାମାନେ ଯାତାୟାତ କରନ୍ତି ।ଜମିଥିବା ପାଣି ଯୋଗୁଁ ସେମାନେ ସ୍କୁଲ ଯିବା ଆସିବାରେ ବହୁ ହଇରାଣ ହେଉଛନ୍ତି ।ଅନେକ ସମୟରେ ପିଲାମାନେ ଖସି ପଡ଼ି ବହି ଓ ପୋଷାକ ଓଦା ହେଉଥିବା ଦେଖିବାକୁ ମିଳୁଛି ।ଏହାଠୁ ବଳି ସବୁଠୁ ବଡ କଥା ହେଲା, ଏହି ରାସ୍ତାକୁ ଲାଗି ଏକ ହନୁମାନ ମନ୍ଦିର ରହିଛି ।ରାସ୍ତାର ଦୁରବସ୍ଥା ଓ ଅନ୍ଧାର ଯୋଗୁଁ କିଛି ଅସାମାଜିକ ବ୍ୟକ୍ତି ଏହି ସ୍ଥାନକୁ ପରିସ୍ରା ପାଇଁ ବ୍ୟବହାର କରୁଛନ୍ତି ।ଫଳରେ ସମଗ୍ର ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ବାହାରୁଛି ।ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଓ ମହିଳା ମାନେ ନାକ ବନ୍ଦ କରି ଯିବାକୁ ବାଧ୍ୟ ହେଉଛନ୍ତି ।

ଯାହା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି ।ଏହି ଦୁର୍ଗନ୍ଧ ଯୋଗୁଁ ମଶା ମାଛି ବଢି ରୋଗ ବ୍ୟାପିବା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବାଲୁଗାଁର ପ୍ରାୟ ସବୁ ସାହି ଓ ଗଳିରେ ସରକାରୀ ଅନୁଦାନରେ ପକ୍କା ରାସ୍ତା ଓ ଡ୍ରେନ୍ ନିର୍ମାଣ ହୋଇ ସାରିଛି ।କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ହୋଇ ପାରୁନାହିଁ ।ବାରମ୍ବାର ବାଲୁଗାଁ ଏନଏସି ଓ ପ୍ରଶାସନକୁ ଲିଖିତ ଓ ମୌଖିକ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ।ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।ତେଣୁ ତୁରନ୍ତ ଏହି ରାସ୍ତାର ନିର୍ମାଣ, ଡ୍ରେନେଜ ବ୍ୟବସ୍ଥା ଓ ନିୟମିତ ସଫେଇ କରିବା ସହ ହନୁମାନ ମନ୍ଦିର ପାଖର ପରିବେଶକୁ ସ୍ୱଚ୍ଛ ରଖିବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

ଆଦିତ୍ୟ ନାରାୟଣ ବେହେରା
ବାଲୁଗାଁ ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page