ଭୁବନେଶ୍ୱର, ୨୧.୪: ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ମଙ୍ଗଳବାର ଗୀତଗୋବିନ୍ଦ ସଦନଠାରେ ଜାନକୀ ବାବୁଙ୍କ ଏକାଦଶ ଶ୍ରାଦ୍ଧବର୍ଷିକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ଯେ, ଜାନକୀ ବାବୁ ଓଡ଼ିଶା ରାଜନୀତିରେ ଏକ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ । ୧୯୮୦ ମସିହାରେ ସେ ମୁଖ୍ୟମନ୍ତ୍ରୀ ହେଲେ ଓ ନୂଆ ଓଡ଼ିଶା ଗଠନ କରିବାର ସଂକଳ୍ପ ନେବା ସହ ଭିତ୍ତିଭୂମି ସେ ପକାଇଥିଲେ । ରାଜନୈତିକ ଦୃଷ୍ଟିକୋଣରୁ ବିଗତ ଦିନମାନଙ୍କରେ ତାଙ୍କର ସ୍ମୃତିରକ୍ଷା କରିବା ପାଇଁ ପୂର୍ବ ସରକାର ସମ୍ପୂର୍ଣ୍ଣ ଅବହେଳା କରିଛନ୍ତି । ଆଗାମୀ ଦିନରେ ଜାନକୀ ବାବୁଙ୍କ ସ୍ମୃତି ରକ୍ଷା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ କରାଯିବ । କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପୂଜ୍ୟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଜାନକୀ ବାବୁ ଜଣେ ସର୍ବଗୁଣ ସମ୍ପନ୍ନ ଜନନେତା ଥିଲେ । ବିଶେଷ ଭାବେ ଓଡ଼ିଶା, ଓଡ଼ିଆ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ସନ୍ଥ ପରମ୍ପରାକୁ ସେ ଭଲ ପାଇବା ସହ ତାର ଉନ୍ନତି ପାଇଁ ତାଙ୍କ ଶାସନ କାଳରେ ପ୍ରାଧାନ୍ୟ ଦେଉଥିଲେ । ଶ୍ରୀଜଗନ୍ନାଥଙ୍କ ପ୍ରତି ସେ ସମ୍ପୂର୍ଣ୍ଣ ସମର୍ପିତ ଥିଲେ । ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ସତ୍ୟ ନାରାୟଣ ଆଚାର୍ଯ୍ୟ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କୁ ସଂସ୍କୃତ ଭାଷାର ପ୍ରାଣ ବୋଲି କହିଥିଲେ । ଓଡ଼ିଆ ଭାଷାକୁ ସେ ପ୍ରାଣ ଭରି ଭଲ ପାଉଥିଲେ । ସେଥିପାଇଁ ତାଙ୍କ ଶାସନକାଳରେ ଓଡ଼ିଆରେ ଶାସନ କାର୍ଯ୍ୟ ପରିଚାଳନା ପାଇଁ ଦୃଢତାର ସହ କାର୍ଯ୍ୟକରି ସେ ଚିର ଅମର ହୋଇ ରହିଛନ୍ତି । ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ସ୍ୱର୍ଗତ ପଟ୍ଟନାୟକଙ୍କୁ ଜଣେ ଧୂରୀଣ ରାଜନେତା ଭାବେ ବର୍ଣ୍ଣନା କରିବା ସହ ପ୍ରଶାସନ ଓ ବିରୋଧୀ ଦଳର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଉଥିଲେ ଓ ବିରୋଧୀ ଦଳଙ୍କ ପରାମର୍ଶରେ ମଧ୍ୟ ଅନେକ ନିଷ୍ପତ୍ତି ନେଉଥିଲେ । ଜୀବନ କାଳରେ ତାଙ୍କର ଅସୀମ ଧୈର୍ଯ୍ୟ ହିଁ ତାଙ୍କୁ ଜଣେ ମହାନ ରାଜନେତାର ସ୍ଥାନ ଦେଇଛି । ଏହି ଅବସରରେ ସାହିତ୍ୟରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଫେସର ଡଃ ଜୀତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର), ସମାଜସେବା ପାଇଁ ଡଃ ବଦ୍ରାନୀଥ ପଟ୍ଟନାୟକ ଓ ସାମ୍ବାଦିକତା ପାଇଁ ପ୍ରଗତିବାଦୀ କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ପୂଜାରୀ ଅଙ୍ଗବସ୍ତ୍ର ଓ ସମ୍ମାନ ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ପୂର୍ବତନ ପ୍ରଧାନ ଶିକ୍ଷକ ବାନାମ୍ବର ବାରିକୀଙ୍କ ପୁସ୍ତକ ‘ଜାତିଦାନ’ ଓ କବି ଚିନ୍ତାମଣି ଦାସଙ୍କ କବିତା ପୁସ୍ତକ ‘ଝୁରୁଛି ନୀଳ ଯମୁନା’କୁ ମୁଖ୍ୟ ଅତିଥି ଲୋକାର୍ପଣ କରିଥିଲେ ।

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ତଥା କମିଟିର ଉପସଭାପତି ସତ୍ୟବ୍ରତ ପାତ୍ର (ରମୁଭାଇ) ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରାସଦ ବେହୁରା ଧନ୍ୟବାଦ ଅର୍ପଣ କରିବା ପରେ ସମାଜସେବୀ ନିବେଦିତା ଭଞ୍ଜଙ୍କ ଦ୍ୱାରା ଆୟୋଜିତ ବକ୍ତୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସମାଜସେବୀ ଏଲିନା ମିଶ୍ର, ଯୁବନେତା ଶିବନାରାୟଣ ବିଶ୍ୱାଳ ଓ ମିହିର କୁମାର ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ ।