ଚିଲିକା,୧୬।୫:ବାଣପୁର ଓ ନାଚୁଣୀ ପୁଲିସ ମିଳିତ ଭାବେ ତଦନ୍ତ କରି କଳାହାଣ୍ଡି ଜିଲା ଜୁନାଗଡ ଅଞ୍ଚଳରୁ ଦୁଇଟି ଚୋରି ଟ୍ରାକ୍ଟର ଉଦ୍ଧାର କରିବା ସହ ଚୋରି ଅଭିଯୋଗରେ ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ମହମ୍ଦ ରହିମ୍ ଓରଫ ଅବଦୁଲ ଓରଫ ପୁପୁନାକୁ ଗିରଫ କରିଛି । ତେବେ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ପୁଲିସ ତରଫରୁ ସୂଚନା ଦିଆଯାଇଛି । କିଛି ଦିନ ହେବ ବାଣପୁର ଅଞ୍ଚଳରେ ଗୋଟିଏ ଟ୍ରାକ୍ଟର ଚୋର ଦଳ ସକ୍ରିୟ ହୋଇପଡିଥିଲା । ଅପ୍ରେଲ ୧ ତାରିଖ ରାତିରେ ନାଚୁଣୀ ଥାନା ହାଡଖାଇ ଅଞ୍ଚଳର ମୁନା ସ୍ୱାଇଁଙ୍କ ଘର ନିକଟରୁ ତାଙ୍କର ଟ୍ରାକ୍ଟର ଚୋରି ହୋଇଯାଇଥିବା ବେଳେ ସେହି ମାସ ୨୨ତାରିଖ ରାତିରେ ବାଣପୁର ବେରୁଁଆବାଡି ଗ୍ରାମର ସୁଶୀଲ କୁମାର ପାତ୍ରଙ୍କ ମଧ୍ୟ ଟ୍ରାକ୍ଟର ଚୋରି ହୋଇଯାଇଥିଲା । ଏନେଇ ନାଚୁଣୀ ଓ ବାଣପୁର ପୁଲିସ ଦୁଇଟି ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ । ଜିଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ ମତେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ଓ ନାଚୁଣୀ ଥାନା ଅଧିକାରୀ ବିଭୂତି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ୍ ଗଠନ କରାଯାଇ ଚୋରି ଟ୍ରାକ୍ଟର ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ଗାଡିରେ ଲାଗିଥିବା ଜିପିଏସ ଯନ୍ତ୍ରକୁ ଟ୍ରାକ କରି ପୁଲିସ ତଦନ୍ତ କରିବାରେ ଜଟଣି ଥାନା ବେଣା ପଞ୍ଜରୀ ଗ୍ରାମର ପେଷାଦାର ଗାଡି ଚୋର ମହମ୍ମଦ ରହିମ୍ ଓରଫ ପୁପୁନା ଓରଫ ଅବଦୁଲ ଚୋରିରେ ସଂପୃକ୍ତ ଥିବା ଜଣା ପଡିଥିଲା ।

ପୁପୁନର ସୂଚନା କ୍ରମେ ପୁଲିସ ଜୁନାଗଡର ଏକ ପରିତ୍ୟକ୍ତ ସ୍ଥାନରୁ ଦୁଇଟି ଯାକ ଟ୍ରାକ୍ଟର ଉଦ୍ଧାର କରିବାକୁ ସଫଳ ହୋଇଥିଲା । ତେବେ ଅବଦୁଲର ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ସୂଚନା ମିଳିଥିବା ବେଳେ ପୁଲିସ ସେମାନଙ୍କୁ ଅତି ଶୀଘ୍ର ଗିରଫ କରିବାକୁ ସକ୍ଷମ ହେବ ବୋଲି ଶନିବାର ଅପରାହ୍ଣରେ ନାଚୁଣୀ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ଏବଂ ନାଚୁଣୀ ଥାନାଧିକାରୀ ବିଭୂତି ଭୂଷଣ ମହାପାତ୍ରଙ୍କ ଠାରୁ ପ୍ରକାଶ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି
\