ବାଲିଅନ୍ତା ,୨୭|୪ (ଗୋବର୍ଦ୍ଧନ ଦାସ):ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହେବ “ତର୍ପଣ ଶିଳାସ୍ତମ୍ଭ” l କଳିଙ୍ଗ ଯୁଦ୍ଧରେ ମୃତ୍ୟୁବରଣ କରିଥିବା କଳିଙ୍ଗର ବୀର ସୈନିକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ଵୀରତ୍ୱର ଗାଥାକୁ ଉଜ୍ଜୀବିତ କରିବା ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଏହି ସ୍ତମ୍ଭ ନିର୍ମାଣ କରାଯିବ l ଇତିହାସର ସେହି ଲୋମହର୍ଷଣକାରୀ ଯୁଦ୍ଧର ସ୍ମାରକୀ ସ୍ୱରୂପ ଏହି ସ୍ମୃତିସ୍ତମ୍ଭ ନିର୍ମାଣ ନିମନ୍ତେ ଏକ କମିଟି ଗଠନ କରାଯାଇଛି l ଯେଉଁଥିରେ ରାଜନେତା ଠାରୁ ଆରମ୍ଭ କରି ସାହିତ୍ୟିକ, ଲେଖିକା, ଐତିହାସିକ, ଗବେଷକ ମାନେ ରହି ଏହି ସ୍ତମ୍ଭ ନିର୍ମାଣ ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି l ଆଜି ଏନେଇ ଏକ ବୈଠକ ଧଉଳି ପାନ୍ଥନିବାସରେ ଅନୁଷ୍ଠିତ ହୋଇଯାଇଛି l ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଦେବ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, ବିଶିଷ୍ଟ ସାହିତ୍ୟିକା ଡ଼ ପ୍ରତିଭା ରାୟ, ଐତିହାସିକ ଡ଼. ନିହାର ରଞ୍ଜନ ପଟ୍ଟନାୟକ, ଡ଼. ବେଣୁଧର ପାତ୍ର, ଡ଼. ଅନାମ ବେହେରା, ଇତିହାସ ଗବେଷକ ଅନିଲ ଧର, ଧଉଳି ସରପଞ୍ଚ ଚନ୍ଦନ ମଲ୍ଲିକ ସମେତ ପ୍ରତ୍ନତତ୍ୱ ବିଭାଗ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ l ଏହି “ତର୍ପଣ ଶିଳାସ୍ତମ୍ଭ” ଧଉଳି ପାଦ ଦେଶରେ ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଛି l ଏଥିପାଇଁ ସ୍ଥାନ ଚିହ୍ନଟ କରାଯିବା ସହ କେତେ ଏରିଆ ଭିତରେ ଏହି ସ୍ତମ୍ଭ ନିର୍ମାଣ କରାଯିବ ଏବଂ ଏଥିପାଇଁ କେତେ ଟଙ୍କା ଲାଗିବ ତାହାର ଡିପିଆର ପ୍ରସ୍ତୁତ କରାଯିବ l ଏହି ସ୍ତମ୍ଭ ଖୁବଶୀଘ୍ର ନିର୍ମାଣ କରାଯିବାପାଇଁ ସ୍ଥିର କରାଯାଇଛି l ଆସନ୍ତାମାସରେ ଏହାର ଶୁଭାରମ୍ଭ ସହ ଶିଳାନ୍ୟାସ ହେବବୋଲି କମିଟି କହିଛନ୍ତି l
ଗୋବର୍ଦ୍ଧନ ଦାସ,ବାଲିଅନ୍ତା