ପାଇକ କବି କୃଷ୍ଣ ଚ଼ନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

ଚିଲିକା,୨୧।୧: ଓଡ଼ିଆ ଭାଷା ସାହିତ୍ୟର ଅନନ୍ୟ ସାଧକ ଏବଂ ସର୍ବଶ୍ରେଷ୍ଠ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ,ସମଗ୍ରଓଡ଼ିଶାରେ ପାଇକ କବି ଭାବରେ ପରିଚିତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ରାଜ୍ୟସ୍ତରୀୟ ଜୟନ୍ତ୍ରୀ ସମାରୋହ ଜନ୍ମମାଟି ଭୀମପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଭୁବନେଶ୍ୱର ଓ କବିଙ୍କ ନାମରେ ନାମିତ କୃଷ୍ଣଚନ୍ଦ୍ରପାଠାଗାର ଭୀମପୁରଙ୍କ ମିଳିତ ଆନୁକୂଲ୍ୟରେ ବାନାମ୍ବର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଆନନ୍ଦଚନ୍ଦ୍ରସେନାପତି ସଭାପତିତ୍ଵ କରିଥିବା ବେଳେ,ବିଶିଷ୍ଠ ସାହିତ୍ୟିକ, ପୂର୍ବତନ ମନ୍ତ୍ରୀ ଡ଼ା ଦେବେନ୍ଦ୍ରନାଥ ମାନସିଂହ ମୁଖ୍ୟ ଅତିଥି, ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଓଡ଼ିଆଭାଷା ସାହିତ୍ୟ ବିଭାଗର ପୂର୍ବତନ ପ୍ରାଧ୍ୟାପକ ତଥା ଖୋର୍ଦ୍ଧା ସାହିତ୍ୟ ସଂସଦର ସଭାପତି, ଇତିହାସ ଗବେଷକ ଗୋପାଳକୃଷ୍ଣ ଦାସ ମୁଖ୍ୟବକ୍ତା, ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା କୃଷ୍ଣଚନ୍ଦ୍ର ସାହିତ୍ୟ ବିଷାରଦ ଅଧ୍ୟାପକ ସଂଗ୍ରାମକେଶରୀ ସାହୁ, ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟର ପ୍ରାକ୍ତନ ଅଧ୍ୟାପକ ଭାଷାତତ୍ଵବିତ୍ ଡ଼ଃ ଚାନ୍ଦକିଶୋର ତ୍ରିପାଠୀ ଓ ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କବିତ୍ରିପାଠୀଙ୍କ ଦ୍ଵାରା ରଚିତ ସମାଜର ଅବହେଳିତ,ନିଷ୍ପେସିତଙ୍କ ଶୋଷଣ କଷଣ, ଦୁଃଖ ଯାତନା ଆଧାରିତ ଅଜସ୍ର କବିତାସହ ଖୋର୍ଦ୍ଧାର ବୀରପାଇକ ଜାତିର ଶୌର୍ଯ୍ୟ, ବୀର୍ଯ୍ୟ ପରାକାଷ୍ଠା ଓ ଜନ୍ମଭୂମୀର ସ୍ଵାଧୀନତା ପାଇଁ ବଳିଦାନ ଉପରେ ରଚିତ ସ୍ୱତନ୍ତ୍ରକବିତା ଉପରେ ଆଲୋକପାତ କରି ତାଙ୍କର ସରଳ ସାବଲୀଳ ଜୀବନ ଧର୍ମୀ, ଜାତୀୟତାବାଦୀକବିତା ସମ୍ଭାର ଯୁଗଯୁଗ ଧରି ଓଡ଼ିଆ ଜାତିକୁ ଦିଗଦର୍ଶନ ଦେଉଥିବ ବୋଲି ବ୍ୟକ୍ତବ୍ୟ ରଖି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କୁ ତାଙ୍କର ସାମଗ୍ରିକ କୃଷ୍ଣଚନ୍ଦ୍ର ସାହିତ୍ୟ ଉପରେ ଉଚ୍ଚକୋଟୀର ଦୀକ୍ଷାନ୍ତ ଗବେଷଣା ନିମନ୍ତେ “କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସ୍ମାରକୀ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ।ପାଠାଗାର ତରଫରୁ କୃଷ୍ଣଚନ୍ଦ୍ର ଜୀବନୀ ଓ ସାହିତ୍ୟ ଉପରେ ଅନୁଷ୍ଠିତ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟସ୍ଥରୀୟ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ଅର୍ଜନ କରିଥିବା କୃତି ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ସହ ପୁରଷ୍କାର ପ୍ରଦାନ କରାଯାଇଥିଲା। ଯୁଗ୍ମ ସଂପାଦକଅଶୋକନନ୍ଦ ,ଅଧ୍ୟାପକ ଜ୍ୟୋତିର୍ମୟ ତ୍ରିପାଠୀ, ଉପଦେଷ୍ଟା ବୈରାଗୀଚରଣ ବେହେରା ଓ ଆମବିଦ୍ୟାଳୟ ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଂପାଦନାରେ ଆୟୋଜିତ ଏହି ସମାରୋହରେ ପାଠାଗାରର ସଂପାଦକ ମଧୁସୂଦନନନ୍ଦ ସ୍ଵାଗତ ଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିବାବେଳେ କୋଷାଧ୍ୟକ୍ଷ ବିଭୂତି ଭୂଷଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତ୍ୟୁଷରେ ଭୀମପୁର ଗ୍ରାମବାସୀ,ସ୍ଥାନୀୟ ଅଞ୍ଚଳର ବହୁ ସାରସ୍ଵତ ସାଧକ, ଶିକ୍ଷକ, ଅଧ୍ୟାପକ ସାମ୍ବାଦିକ,ବୁଦ୍ଧିଜୀବୀ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।ପରିଶେଷରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କ ଦ୍ୱାରା କବିଙ୍କ ରଚିତ ପାଇକ କବିତା “ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧା ଗଡ଼”ଓ ଅନ୍ୟାନ୍ୟ କବିତା ଗୁଡ଼ିକର ନୃତ୍ୟାଭିନୟ ପରିବେଷଣ କରାଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page