କଳାହାଣ୍ଡି, ୧୮|୨: ଆସନ୍ତା ୨୬ ମହାଶିବରାତ୍ରୀ (ଜାଗର) । ଏହି ଉପଲକ୍ଷେ ଧର୍ମଗଡ ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜର ମନସ୍କାମନା ପୂର୍ଣ୍ଣ ଲକ୍ଷ୍ୟରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଚରଣରେ ଦୀପ ପ୍ରଜ୍ଜଳନ କରିବା ସହ ରାତି ଉଜାଗର ରହି ଶିବରାତ୍ରୀ ପାଳନ କରିବେ। ଆସନ୍ତ ମହାଶିବରାତ୍ରୀକୁ ଦୃଷ୍ଟିରେ ରଖି ଧର୍ମଗଡ ବ୍ଲକ ଅଧୀନସ୍ଥ କୁମ୍ଭାର ସାହିର କୁମ୍ଭକାର ସଂପ୍ରଦାୟର ପୁରୁଷ ଓ ମହିଳାମାନେ ଦୀପ ପ୍ରସ୍ତୁତିରେ ଲାଗିପଡିଥିବା ଲକ୍ଷ୍ୟ କରାଯାଇଛି। କୌଳିକ ବୃତ୍ତି ଭାବେ ଆଦରି ମାଟିର ଜିନିଷ ପ୍ରସ୍ତୁତ କରି ସମାଜରେ ବସବାସ କରୁଥିବା ଜନସାଧାରଣଙ୍କ ଆବଶ୍ୟକତାକୁ ପୂରଣ କରିବା ସହ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ଦୈନନ୍ଦିନ ଜୀବନଯାପନ କ୍ଷେତ୍ରରେ ପୂର୍ବରୁ ମାଟି ପାତ୍ରର ଚାହିଦା ଖୁବ୍ ଅଧିକ ଥିଲା। ରନ୍ଧନ ପାଇଁ ଆବଶ୍ୟକ ମାଟି ପାତ୍ରର ଚାହିଦା ଖୁବ୍ ଅଧିକ ଥିଲା I ରନ୍ଧନ ପାଇଁ ଆବଶ୍ୟକ ମାଟି ପାତ୍ରଠାରୁ ଆରମ୍ଭ କରି ପାଣି ରଖିବା ମାଠିଆ, ହାଣ୍ଡି, ଗ୍ରୀଷ୍ମ ଦିନରେ ପାଣି ଥଣ୍ଡା ରଖିବା ପାଇଁ ସୁରେଇ ପ୍ରସ୍ତୁତ କରି ଏହି କୁମ୍ଭକାର ପରିବାର ବେଶ୍ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଦିନକୁ ଦିନ ମାନବ ସଭ୍ୟତାର ବିକାଶ ହେବାରୁ ଆରମ୍ଭହେଲା ଷ୍ଟିଲ୍ର ଯୁଗ | ଏହି ଷ୍ଟିଲ୍ ଯୁଗରେ ରନ୍ଧନ କାର୍ଯ୍ୟ ପାଇଁ ସାଧାରଣ ବ୍ୟକ୍ତି ମାଟି ପାତ୍ରକୁ ଭୂଲି ଯାଇ ରନ୍ଧନ କାର୍ଯ୍ୟଠାରୁ ଆରମ୍ଭ କରି ପାଣି ରଖିବା ଯାଏଁ, ଷ୍ଟିଲ ସାମଗ୍ରୀ ବ୍ୟବହାର କରିବା ଆରମ୍ଭ କରିଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତରେ କୁମ୍ଭକାର ପରିବାରବର୍ଗ ବର୍ଗଙ୍କ ଦୈନନ୍ଦିନ ବୃତ୍ତି ସଙ୍କଟରେ ପଡିଛି। ତଥାପି କୁମ୍ଭକାରମାନେ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଏବେବି ସଂଘର୍ଷ ଜାରି ରଖୁଛନ୍ତି। ପର୍ବପର୍ବାଣୀରେ କୁମ୍ଭକାରଙ୍କୁ ସାଧାରଣ ଜନତା ମନେ ପକାଇଥାନ୍ତି | ସେମାନଙ୍କଙ୍କ ଦ୍ବାରା ପ୍ରସ୍ତୁତ କିଛି ଏମିତି ସାମଗ୍ରୀ ରହିଛି ଯାହା ଯାହା ପୂଜାରେ ଲାଗିବା ନୀତି ରହଛି। ପଶ୍ଚିମ ଓଡିଶାର ଅଧିକାଂଶ ପର୍ବପର୍ବାଣୀରେ ମାଟି ହାଣ୍ଡିର ଆବଶ୍ୟକତା ପଡୁଥିବା ବେଳେ କେତେ ଗ୍ରାମାଞ୍ଚଳର ଲୋକେ ଏବେବି ଭାତ ରାନ୍ଧିବା ପାଇଁ ମାଟି ହାଣ୍ଡି ବ୍ୟବହାର କରୁଛନ୍ତି I ବର୍ଷତମାମ ବେକାର ରହୁଥିବା କୁମ୍ଭକାରଙ୍କ ପାଇଁ ଅନ୍ୟତମ ମହାନ୍ ପର୍ବ ମହାଶିବରାତ୍ରୀ ଏକ ସୁଯୋଗ ସୃଷ୍ଟି କରୁଥିବା ଦେଖାଯାଇଛି। ମହାଶିବରାତ୍ରୀ ପର୍ବ ମାସକ ପୂର୍ବରୁ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଲାଗି ପଡିଥାନ୍ତି ଦୀପ ତିଆରିରେ। ଧର୍ମଗଡ ବ୍ଲକ ଅନ୍ତର୍ଗତ କୁମ୍ଭାରସାହି, ବଗାଡ଼, କାଂକେରି ତଥା ଆଖପାଖ ଅଞ୍ଚଳରେ ରହୁଥିବା କୁମ୍ଭକାର ପରିବାର ଦୀପ ତିଆରିରେ ବ୍ୟସ୍ତ । ପୂର୍ବ ପୁରୁଷ ଅମଳରୁ ମାଟି ଜିନିଷ ପ୍ରସ୍ତୁତ କରିବାକୁ ବୃତ୍ତି ଭାବେ ଧରି ଆସିଥିବା କୁମ୍ଭକାର ପରିବାର ବର୍ଗଙ୍କ ପାଇଁ ସରକାର କୌଣସି ଯୋଜନା କାର୍ଯ୍ୟକାରୀ କରି ନଥିବାରୁ ଏହି ବୃତ୍ତି ଆଗାମୀ ଦିନରେ ଲୋପ ପାଇବା ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )