–କୈଳାସ ବେହେରା
ତୁ ଗଲାପରେ ଯେମିତି ଥିଲା
ସବୁ ସେମିତି ଥିବ
ନଈ କୂଳେକୂଳେ
ସେମିତି ବହୁଥିବ ପବନ,
ପ୍ରଜାପତିର ଡେଣାରେ
ସବାର ହେଉଥିବ
ସକାଳର ଖରା
ଜହ୍ନ କିରଣରେ
ପଖାଳି ହେଉଥିବ ଧାନକ୍ଷେତ
ତୋ’ଘରର ମଥାନ ଉପରୁ
ଚୁଲିର ଧୂଆଁ ଛୁଉଁଥିବ ଆକାଶ,
ତୁମ ଆମ୍ବ ଗଛର ଆମ୍ବ
ଡାକୁଥିବ ସାହି ପିଲାଙ୍କୁ
ଚଗଲା ପିଲାଟିଏ କହୁଥିବ
ଏତେବେଳକୁ ସେ ବୁଢାଥିଲେ
କେମିତି ଗନ୍ଧବାରି
ହଇ ରେ,,, କିଏ କିଏ ବୋଲି
ଝପଟି ଆସନ୍ତାଣି
ଗଛ ମୂଳକୁ
ସିଏ ଗଛ ଲଗାଇଥିଲା ବୋଲି
ପୁରା ଗଛଟା ତାର
ଜୀବନକାଳରେ
ସିଏ ଯାହା ଖାଉଥିଲା
ଫଳ ମୂଳ ଶଶ୍ୟ
ସିଏ ଯେମିତି
ସବୁ ଗଛ ଉତ୍ତାରୁ ଥିଲା
ନିଜର ହାତରେ
ଆରେ ଆମ ସାର୍ ପରା କହୁଥିଲେ
ସମ୍ପୂର୍ଣ୍ଣ ପ୍ରାଣୀଜଗତ ବଞ୍ଚିଛି
ଗଛମାନଙ୍କ ଆଶ୍ରାରେ
ଗଛ ନାହିଁତ ଆମେ ନାହୁଁ
ଆମେ ନଥିଲେ ବି’
ଗଛ କିନ୍ତୁ ଅଛି,
ହଁ ଆମେ ସମସ୍ତେ ଗଛ ଲଗାଇବା
ଆମେ ଖାଇବା
ଆମେ ଥାଉ ବା’ନଥାଉ
ଆନ୍ୟମାନେ ବି ଖାଇବେ
ଏଗଛରୁ ଆମ୍ବ ପରି
ଏବେ ଗଛରେ ଚଢ
ବହୁତ ଆମ୍ବ ତୋଳ
କେଉଁ ସେ ବୁଢା ଅଛି କି
ଝପଟି ଆସିବ ଆମ୍ବ ତୋଳୁତୋଳୁ
ତୁ’ ଦେଖିବାକୁ କେଉଁ ଥିବୁ କି’
ଦାଣ୍ଡପଟ କାନ୍ଥରେ ଟଙ୍ଗା
ତୋର ଫଟୋରୁ
ଝରିପଡୁଥିବ ବାସିଫୁଲ
ଧିରେଧିରେ ତୋତେ
ପାଶୋରି ଯାଇଥିବ
ତୋର ଶୋଇବା ଖଟ
ଗାଆଁ ଦାଣ୍ଡରୁ
ତୋର ପାଦଚିହ୍ନ
ଲିଭାଇ ଦେଇଥିବ
ରାତିର କାକର
ନଈକୁ ଗାଧୋଇବାକୁ ଯାଇ
ବୁଡ ମାରିବା ବେଳେ
କିଛି ସମୟ ପାଇଁ ହେଉ
ଯେମିତି ତୁ ବାହାରକୁ
ନଥିବାପରି ଲାଗୁ
ସେମିତି,,,
ଏ ମାଟିଠାରୁ, ପାଣିଠାରୁ,
ପବନଠାରୁ ତୋର କିଛି ସମୟ ପାଇଁ
ତୋର ଏ
ସାମୟିକ ‘ବିଦାୟ ମାତ୍ର
ପୁଣି ପ୍ରଶ୍ବାସ ନେବାକୁ
ପାଣିରୁ ଉଠିଆସିଲା ପରି
ଆଉ ଥରେ’ ଫେରିଆସିବୁ
ଏ ମାଟିକୁ
ସେତେବେଳକୁ ତୁ ‘ଆଉ
ଏମିତି ନଥିବୁ
ଦିଶୁଥିବୁ ଓଦା ଜରଜର
ନହେଲେ ଶୀତ ଥରଥର
କି’ଖରା ଫରଫର ।

କୈଳାସ ବେହେରା, ବାଳକାଟି (ଖୋର୍ଦ୍ଧା), ଫୋନ୍-9337960918