ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି। ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ ଯୋଗାଉଥିବାରୁ ଶକ୍ତି ବର୍ଗରେ ଟିପିଏସ୍ଓଡିଏଲକୁ ଏହି ପୁରସ୍କାର ମିଳିଛି। ଏହି ପୁରସ୍କାର ଦକ୍ଷିଣ ଓଡ଼ିଶାରେ ଗ୍ରାମୀଣ ଜୀବିକାରେ ଉନ୍ନତି ଆଣିବା ଏବଂ ମହିଳା ନେତୃତ୍ଵାଧୀନ ଚାଷ କାର୍ଯ୍ୟକୁ ପ୍ରୋତ୍ସାହନ ଯୋଗାଇବା କ୍ଷେତ୍ରରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଏ।
ଟିପିଏସ୍ଓଡିଏଲର ଏହି ପ୍ରୋଜେକ୍ଟ କୋରାପୁଟ ଜିଲ୍ଲାର ଏନଜିଓ ପ୍ରଗତିର ସହଭାଗିତାରେ ବୈପାରିଗୁଡା ବ୍ଲକର ଡୋରାଗୁଡ଼ା ଗ୍ରାମପଞ୍ଚାୟତରେ ହୋଇଥିଲା। ଯାହାଦ୍ୱାରା ୧୮ଟି ଗାଁର ୫୧୦ଜଣ ମହିଳା ଏଥିରେ ଉପକୃତ ହୋଇ ପାରିବା ସହ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। ଯେଉଁମାନେ କି ଜନଜାତି ସମୁଦାୟର ଅଟନ୍ତି। ଏହାର ଲକ୍ଷ୍ୟ ଥିଲା ଉନ୍ନତ ଚାଷ କୌଶଳ ପ୍ରୟୋଗସହ ଜୈବିକ ପଦ୍ଧତିରେ ମିଲେଟ୍ ଚାଷକୁ ପ୍ରୋତ୍ସାହନ ଏବଂ ଚାଷୀଙ୍କୁ ବଜାର ସହ ସଂଯୋଗ କରିବା ।
ମହିଳା ଚାଷୀମାନେ ମିଲେଟ୍ ଇଣ୍ଟେନସିଫିକେସନ୍ ସିଷ୍ଟମ୍ ଏବଂ ଲାଇନ୍ ଟ୍ରାନ୍ସପ୍ଲାଣ୍ଟିଂ ଭଳି ଉନ୍ନତ ଚାଷ ପଦ୍ଧତିକୁ ଆପଣାଇଥିଲେ। ଯାହା ପାରମ୍ପରିକ ପଦ୍ଧତି ତୁଳନାରେ ଉତ୍ପାଦନକୁ ଦ୍ୱିଗୁଣିତ କରିବାରେ ସମର୍ଥ ହୋଇ ପାରିଥିଲା। ମୋଟ ୨୫୦ ଏକର ଜମିରେ ହୋଇଥିବା ଏହି ଚାଷରୁ ସେମାନେ ୨,୨୦୦ କ୍ୱିଣ୍ଟାଲ୍ରୁ ଅଧିକ ମିଲେଟ୍ ଅମଳ କରିବାରେ ସକ୍ଷମ ହୋଇପାରିଛନ୍ତି। ତନ୍ମଧ୍ୟରୁ ବହୁ ଚାଷୀ ସରକାରୀ ମଣ୍ଡିରେ ଏମଏସପି ଅଧୀନରେ ଉତ୍ପାଦ ବିକ୍ରି କରି ଅଧିକ ଆୟ ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି।
୨୧୨ ଜଣ ଚାଷୀ ଜୈବିକ ଫାର୍ମର୍ସ ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡ୍ରେ ଅଂଶୀଦାର ହୋଇପାରିଛନ୍ତି। ଯାହା ଏକ ନିରନ୍ତର ବିକାଶକୁ ସମର୍ଥନ କରେ। ଏଥିସହିତ ଏକ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟର ମଧ୍ୟ ସ୍ଥାପନା ହୋଇପାରିଛି। ଯାହା ଆଧୁନିକ ଯନ୍ତ୍ରପାତି ସହିତ, ପରିଷ୍କରଣ, ଡିହସ୍କିଂ ଏବଂ ଗ୍ରାଇଣ୍ଡିଂ ପାଇଁ ବ୍ୟବହୃତ ହୋଇପାରୁଛି। ଏହାସହିତ ଅନେକ ଚାଷୀ ଏହି ପ୍ରକଳ୍ପ ଜରିଆରେ ସରକାରୀ ପ୍ରୋତ୍ସାହନ ଏବଂ ସମର୍ଥନ ପାଇପାରିଛନ୍ତି, ଯାହା କମ୍ପାନୀର ମୂଳ ଲକ୍ଷ୍ୟକୁ ସାଧିତ କରିବା ସହିତ ପ୍ରଭାବଶାଳୀ କରିପାରିଛି।
ଟିପିଏସ୍ଓଡିଏଲ୍ର ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ଏହି ପୁରସ୍କାର ଆମ ପାଇଁ ଗର୍ବର ମୁହୂର୍ତ୍ତ। ଆମର ମିଲେଟ୍ ପ୍ରୋଜେକ୍ଟ ତଥା ମିଲେଟ୍ ଚାଷକୁ ପ୍ରୋତ୍ସାହନ ଦର୍ଶାଉଛି କିପରି ମହିଳା ଚାଷୀଙ୍କୁ ସଶକ୍ତ କରି ଏକ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣିହେବ। ଏହା କେବଳ ପାରମ୍ପରିକ ଫସଲକୁ ସଂରକ୍ଷଣ କରୁନାହିଁ ବରଂ ଜୀବିକାକୁ ସୁରକ୍ଷିତ କରିବା ସହିତ ସମୁଦାୟକୁ ସଶକ୍ତ କରୁଛି। ସମଗ୍ର ଦକ୍ଷିଣ ଓଡ଼ିଶାରେ ଏକ ସ୍ଥାୟୀ ଏବଂ ସମାବେଶୀ ବିକାଶକୁ ଗୁରୁତ୍ୱ ଦେବା ଯେଉଁଠାରେ ସମସ୍ତଙ୍କ ଅନ୍ତର୍ଭୁକ୍ତୀ ରହିଥିବ ସେଥିପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ଅଟେ” ।