ଚିଲିକା, ୧୭। ୪/ଏନ.ଏନ୍ଏସ୍:ଗାୟକ ବାଗ୍ ଭୂଷଣ ଗୌରୀ ଶଙ୍କର ରଥ ଆଉ ନାହାନ୍ତି।ନିଜ ଜନ୍ମସ୍ଥାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମସ୍ଥ ନିଜ ବାସ ଭବନଠାରେ ତାଙ୍କର ବିୟୋଗ ହୋଇଯାଇଅଛି । ମୃତ୍ୟୁ ସମୟକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ ଜନିତ ରୋଗରେ ପୀଡିତ ଥିଲେ । ସେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ହେଁ ପାଲାକୁ ଆଦରି ନେଇ ଥିଲେ।ସେ ଗାୟକ ରତ୍ନ ଲୋକନାଥ କରଙ୍କ ଶିଷ୍ୟ ଥିଲେ । ସେ ଜଣେ ଧୁରୀଣ ପାଲା ଗାୟକ ଥିଲେ । ଓଡ଼ିଶାର ବହୁ ଅନୁଷ୍ଠାନରେ ପାଲା ପରିବେଷଣ କରି ସମସ୍ତଙ୍କର ଆଦର ପାତ୍ର ହୋଇଥିଲେ। ତାଙ୍କ ବାକ୍ୟ ଅତ୍ୟନ୍ତ ତ୍ରୀବ ଓ ରସାଣ ଥିଲା । ତାଙ୍କର ଭାବ ଗର୍ଭକ ଆଲୋଚ଼ନା ସହ ଆବଶ୍ୟକୀୟ ଅଭିନୟ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସାହାର୍ଯ୍ୟ କରିଥିଲା । ସେ ଦୀଘ୍ର ବର୍ଷ ଧରି ବାଣପୁର ଭଗବତୀ ମଣ୍ଡଳ ପାଲା ଗାୟକ ପରିଷଦର ସଭାପତି ଥିଲେ । ଆଜି ପର୍ଯ୍ୟନ୍ତ ସେ ବଉଳାବନ୍ଧ ରଥଯାତ୍ରାର ଛେରାପହଁରା କରି ଆସୁଥିଲେ । ତାଙ୍କ ବିୟୋଗରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନ ଠାରେ ଶବ ସତ୍କାର କରାଯାଇଥିଲା । ତାଙ୍କ ବିୟୋଗରେ ଚିଲିକାର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ଚିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଶ୍ରୀନୀଳାଚଳ ନିଖିଳ ଉତ୍କଳ ପାଲାଗାୟକ ପରିଷଦ ରାଜ୍ୟ ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ଅଖଣ୍ଡ ପୁରୀ ଜିଲ୍ଲା ପାଲାଗାୟକ ପରିଷଦର ସ୍ଥାୟୀ ସଭାପତି ତଥା ଗାୟକ ଦକ୍ଷୀଣ କେଶରୀ ରାମଚନ୍ଦ୍ର କର, ନୀଳକଣ୍ଠ ହାଇସ୍କୁଲର ପ୍ରତିଷ୍ଠାତା ଡାକ୍ତର ମଧୁସୂଦନ ସେନାପତି ଓ ଚିଲିକା ପୂଜ୍ୟ ପୂଜା ସଂସଦର ସଭାପତି ଦିଲ୍ଲୀପ କୁମାର ଶତପଥୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ଚିଲିକା ପ୍ରତିନିଧି: ଦିଲ୍ଲୀପ କୁମାର ଶତପଥୀ