ଚିଲିକା, ୨୧ ।୯: ପାର୍ବଣ ଋତୁର ଶାରଦୀୟ ପୂଜା ଆଗମନରେ କାଶତଣ୍ଡୀ ଫୁଲର ଆବରଣରେ ମା’ଦୁର୍ଗାଦେବୀଙ୍କ ଧରାପୃଷ୍ଠ ଅବତରଣକୁ ସ୍ୱାଗତ ଜଣାଇବା ପାଇଁ ସମସ୍ତ ସହର, ବଜାର ଓ ପୁରପଲ୍ଲୀର ଦୁର୍ଗାମଣ୍ଡପ ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଲାଣି | ଏହି ଅବସରରେ ବିଭିନ୍ନ ଦୁର୍ଗା ମଣ୍ଡପ ଗୁଡ଼ିକରେ ପଣ୍ଡିତ ମାନଙ୍କ ପଞ୍ଜିକା ଗଣନା ଅନୁସାରେ ଶୁଭଲଗ୍ନ ସମୟରେ ମୃତ୍ତିକା ଅନୁକୂଳ କରାଗଲାଣି | ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ଦୁର୍ଗାପୂଜା ନିମନ୍ତେ ଆଜି ପବିତ୍ର ତିଥି ଓ ଲଗ୍ନରେ ୪୭ ତମ ମୃତ୍ତିକା ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି | ବରିଷ୍ଠ ବ୍ରାହ୍ମଣ ପଣ୍ଡିତ ଦିଲୀପ କୁମାର ସାମନ୍ତରାୟଙ୍କ ପୌରାହିତ୍ୟରେ ଅନୁଷ୍ଠାନର କର୍ତ୍ତା ପ୍ରଭାସ ଚନ୍ଦ୍ର ବାରିକ ସହାୟତାରେ ସମ୍ପୂର୍ଣ ବିଧିବିଧାନ ଅନୁଯାୟୀ ଆୟୋଜିତ କରାଯାଇଥିଲା | ବ୍ରାହ୍ମମୁହୂର୍ତ୍ତରୁ ବର୍ଷତମାମ ଘରେ ପୂଜା ପାଉଥିବା ମା’ଦୁର୍ଗା ଦେବୀଙ୍କ ଫୋଟୋଚିତ୍ରରେ ମାଜଣା, ଭୋଗ, ଆଳତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ କରାଯାଇଥିଲା | ଏହା ପରେ ମୁଣ୍ମୟୀ ମୂର୍ତ୍ତୀ ଗଠନ ନିମନ୍ତେ ନିର୍ଦ୍ଧାରିତ ମେଢ଼ ଉପରେ ଆବାହନ କରାଯାଇଥିବା ମୃତ୍ତିକା ସ୍ଥାପିତ କରାଯାଇ ପୂଜାର୍ଚ୍ଚନା, ଆରତୀ ଓ ସମୂହ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା | ମୂର୍ତ୍ତି ନିର୍ମାଣ ନିମନ୍ତେ ଆବଶ୍ୟକ ସରଞ୍ଜାମ ଆଧାରରେ ନଡ଼ା, ସୁତୁଲି, ଝୋଟ ଓ ଲୁହାର ଦା ପୂଜା କରାଯାଇଥିଲା | ଏହି ମୃତ୍ତିକା ଅନୁକୂଳ ଉତ୍ସବରେ ଦୁର୍ଗାପୂଜାର ପ୍ରତିଷ୍ଠାତା ଶକ୍ତିସେବକ ସ୍ବର୍ଗତ ସୋମନାଥ ବାରିକଙ୍କ ଧର୍ମପତ୍ନୀ ବେଙ୍ଗଲତା ବେୱା, ଦୁର୍ଗାପୂଜାର କର୍ଣ୍ଣଧାର ସବିତା ବେହେରା, ଗୃହିଣୀ ବନିତା ବାରିକଙ୍କ ସମେତ ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତି ରହିଥିଲା | ଏଥି ସହିତ ମୂର୍ତ୍ତିଶିଳ୍ପୀ ଅଖିଳ କୁମାର ପଲାଇ, ସମାଜସେବୀ ଧ୍ରୁବ ବଳବନ୍ତରାୟ, ସହଯୋଗୀ ଧ୍ରୁବ ଗୁରୁ ସମେତ ଅନ୍ୟମାନେ ଯୋଗଦାନ କରିଥିଲେ | ମା’ଙ୍କ ପୂଜା ଧୂମଧାମରେ ସମ୍ପାଦିତ ନିମନ୍ତେ ଗ୍ରାମର ସବୁବର୍ଗର ଲୋକମାନେ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି |

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି