ମୂଲ୍ୟବୋଧ ରାଜନୀତିର ପ୍ରତୀକ ଥିଲେ ଗଙ୍ଗାଧର ମହାପାତ୍ର
ଭୁବନେଶ୍ୱର, ୧୪.୭ : ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଖ୍ୟାତନାମା ଓକିଲ ଓ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ୧୧୩ତମ ଜନ୍ମୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ସଭାଗୃହରେ ଟ୍ରଷ୍ଟର ସ୍ଥାୟୀ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସ୍ୱର୍ଗତ ଗଙ୍ଗାଧର ମହାପାତ୍ର, ପୁରୀ ଶୋଳ ଶାସନର ବିଶ୍ୱନାଥପୁର ଶାସନର ଏକ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଥିଲେ ଜଣେ ସଂସ୍କାରବାଦୀ ମଣିଷ । ଜାତି, ଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କୁ ଶ୍ରଦ୍ଧା କରୁଥିଲେ । ଫଳସ୍ୱରୂପ ବିଂଶ ଶତାବ୍ଦୀର ଶେଷ ଦଶକରେ ସେ ଅତ୍ୟନ୍ତ ଲୋକପ୍ରିୟ “ଗଙ୍ଗୁଭାଇନା” ଭାବେ ପରିଚିତ ଥିଲେ । ଅଜା ଠାରୁ ନାତି ପର୍ଯ୍ୟନ୍ତ ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ଗଙ୍ଗୁଭାଇନା ଭାବେ ସମ୍ବୋଧନ କରୁଥିଲେ । ସେଥିରେ ଥିଲା ଅଜସ୍ର ଆନ୍ତରିକତା ।
ବିଶିଷ୍ଟ ଅତିଥି ଭାବେ ଡଃ ବୁଦ୍ଧଦେବ ମିଶ୍ର ଶ୍ରଦ୍ଧାଞ୍ଜଳି କହିଲେ ଯେ, ଗଙ୍ଗାଧର ମହାପାତ୍ରଙ୍କ ଉପରେ ପଣ୍ଡିତ ଗୋପବନ୍ଧୁଙ୍କ ଆର୍ଶୀବାଦ ଥିଲା । କାରଣ, ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ସ୍ୱର୍ଗତ ପିତା ପଣ୍ଡିତ ଦାମୋଦର ମହାପାତ୍ର, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହକାରୀ ଥିଲେ । ସ୍ୱର୍ଗତ ଗଙ୍ଗାଧର ମହାପାତ୍ର ଓକିଲାତିରୁ ରାଜନୀତି କ୍ଷେତ୍ରକୁ ଆସିଥିଲେ, ଏଣୁ ରାଜନୀତିରେ ମୂଲ୍ୟବୋଧକୁ ସେ ସବୁଠୁ ଅଧିକ ଗୁରୁତ୍ୱ ଦେଉଥିଲେ । ଛାତ୍ର ଜୀବନରୁ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ସହ ତଳେ ପଡ଼ିଥିବା ମଣିଷକୁ ସମାଜର ମୁଖ୍ୟସ୍ରୋତକୁ ଆଣିବାର ବ୍ରତକୁ ସେ ଜୀବନରେ ପ୍ରତିଫଳିତ କରିଛନ୍ତି । ସମ୍ମାନିତ ଅତିଥି ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀ ଗଙ୍ଗାଧର ବାବୁଙ୍କୁ ଜଣେ ଦରଦୀ ଜନଗଣଙ୍କ ନେତା ବୋଲି ଅଭିହିତ କରିଥିଲେ । ଜୀବନକାଳ ମଧ୍ୟରେ ୧୪ ବର୍ଷ ଅର୍ଥ, ଶିକ୍ଷା, ଆଇନ, ଯୋଗାଣ ଭଳି ଗୁୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ କିନ୍ତୁ ତାଙ୍କ ଦୁଆରମୁହଁରେ ଆଜିକା ମନ୍ତ୍ରୀମାନଙ୍କ ଭଳି ଜଗୁଆଳି ନଥିଲେ । ଖୋଲା ଦରବାର, ଯିଏ ଯେତେବେଳେ ଯିବ ମନ୍ତ୍ରୀଙ୍କୁ ଭେଟିବ ।

ଖାଲି ଭେଟଘାଟ ନୁହେଁ, ତୁରନ୍ତ ସମାଧାନ । କାରଣ ଫୁଲବାଣୀରୁ ଆସିଥିବା ଅଭିଯୋଗକାରୀର ହୃଦୟର ଦୁଃଖକୁ ସେ ବୁଝୁଥିଲେ । ସେଭଳି ମନ୍ତ୍ରୀ ଆଜିର ଦୁନିଆରେ ବିରଳ । ମୁଖ୍ୟବକ୍ତା ଦୈନିକ ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ମୁଁ ସ୍ୱର୍ଗତ ମହାପାତ୍ରଙ୍କ ସହ ବହୁତ କମ୍ ମିଶିଛି କିନ୍ତୁ ତାଙ୍କ, ମଣିଷକୁ ଭଲ ପାଇବା ମୋତେ ଜୀବନରେ ବହୁତ ପ୍ରଭାବିତ କରିଛି । ସ୍ନେହପୂର୍ଣ୍ଣ ସ୍ୱାଗତରେ ସେ ଶତ୍ରୁକୁ ମିତ୍ର କରି ଦେଉଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ସେ ରାଜନୀତି କ୍ଷେତ୍ରକୁ ଆସିଥିଲେ କିନ୍ତୁ ନେତାଜୀ ସୁଭାଷ ଚନ୍ଦ୍ରଙ୍କ ବଳିଷ୍ଠ ନେତୃତ୍ୱକୁ ସେ ଖୁବ୍ ପ୍ରଶଂସା କରିବା ସହ ଓଡ଼ିଶାରେ ନେତାଜୀଙ୍କ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ନେତୃତ୍ୱ ନେଇଥିଲେ । ଏହି ଅବସରରେ ପୂର୍ବବର୍ଷ ମାନଙ୍କ ଭଳି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଓକିଲ ମାନସ ରଞ୍ଜନ ମହାପାତ୍ର ଓ ଯାଜପୁରର ବିଶିଷ୍ଟ ସମାଜସେବୀ ଶିଶିର କୁମାର ନାୟକଙ୍କୁ ଉଦ୍ଘାଟକ ସ୍ୱାମିଜୀ ଓ ବିଶିଷ୍ଟ ଅତିଥି ଡଃ ବୁଦ୍ଧଦେବ ମିଶ୍ର ସାଲ୍ ଓ ସ୍ମୃତିଫଳକ ଦେଇ ଚଳିତବର୍ଷର ଗଙ୍ଗାଧର ମହାପାତ୍ର ସମ୍ମାନ-୨୦୨୬ରେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମହାପାତ୍ର ଓ ଶ୍ରୀ ନାୟକ ଗଙ୍ଗାଧର ମହାପାତ୍ରଙ୍କ ସ୍ମୃତିରେ ଆମକୁ ସମ୍ବର୍ଦ୍ଧିତ କରିଥିବାରୁ ଆମ୍ଭେ ନିଜକୁ ଗର୍ବ ଓ ଗୌରବ କରୁଛୁ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଟ୍ରଷ୍ଟି ସୀତାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଓ ଟ୍ରଷ୍ଟି ଶୀଳଭଦ୍ର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଆନନ୍ଦ ଚୈତନ୍ୟ ବ୍ରହ୍ମ•ରୀ ଭଜନ ପରିବେଷଣ କରିବା ସହିତ ସମସ୍ତ କାର୍ଯ୍ୟକ୍ରମକୁ ପୁଷ୍ପରାଜ ପ୍ରଧାନ ଓ ସମାଜସେବୀ ସାମ୍ବାଦିକ ଅରବିନ୍ଦ ତି୍ରପାଠୀ ପ୍ରମୁଖ ପରି•ଳନା କରିଥିଲେ ।