ବିହାରରୁ ଗିରଫ ହେଲେ ପ୍ରକାଶ ପାଶୱାନ: ସର୍କିଟ ହାଉସ୍ ମାମଲାରେ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସୂଚନା

ରାଉରକେଲା: ଦୀର୍ଘ ସମୟ ଧରି ଫେରାର ଥିବା ସର୍କିଟ ହାଉସ୍ ମାମଲାର ପ୍ରମୁଖ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ରାଉରକେଲା ପୁଲିସର ସ୍ୱତନ୍ତ୍ର ଟିମ୍ ବିହାରରୁ ଗିରଫ କରିଥିବା ସୂଚନା ମିଳିଛି। ତାଙ୍କ ଗିରଫକୁ ଏହି ବହୁଚର୍ଚ୍ଚିତ ମାମଲାରେ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି।ପାନପୋଷ ସର୍କିଟ ହାଉସ୍‌ରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ସହ ଅପରାଧୀମାନେ ଗିରଫ ହେବା ପରେ ପ୍ରକାଶ ପାଶୱାନ ଫେରାର ହୋଇଯାଇଥିଲେ। ତଦନ୍ତରେ ସହଯୋଗ ପାଇଁ ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ପରେ ତାଙ୍କ ବିରୋଧରେ ମାନ୍ୟବର ଏସଡିଜେଏମ୍ କୋର୍ଟ ଜାମିନବିହୀନ ପରୱାନା ଜାରି କରିଥିଲେ। ଏହାପରେ ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ୪ଟି ସ୍ୱତନ୍ତ୍ର ଟିମ୍ ରାଜ୍ୟ ବାହାରେ ଚଢ଼ାଉ ଆରମ୍ଭ କରିଥିଲା।ସୂତ୍ର ଅନୁଯାୟୀ, ବିହାରରେ ଲୁଚି ରହିଥିବା ପ୍ରକାଶ ପାଶୱାନଙ୍କୁ ପୁଲିସ କାବୁ କରିଛି ଏବଂ ତାଙ୍କୁ ରାଉରକେଲା ଆଣିବା ପ୍ରକ୍ରିୟା ଚାଲିଛି। ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଗଲେ ସର୍କିଟ ହାଉସ୍‌ରେ ଅପରାଧୀମାନଙ୍କ ରହଣି, ଅସ୍ତ୍ରଶସ୍ତ୍ରର ଉତ୍ସ, ବେଆଇନ ବାଲି କାରବାର, ବଟି ଆଦାୟ, ଗୋରୁ ଚୋରାଚାଲାଣ, ଟେଣ୍ଡର ଫିକ୍ସିଂ ଏବଂ ଅନ୍ୟାନ୍ୟ ସଂଗଠିତ ଅପରାଧିକ ନେଟୱାର୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି।ଏହି ମାମଲାରେ ଏପର୍ଯ୍ୟନ୍ତ ୯ ଅଭିଯୁକ୍ତ ଗିରଫ ହୋଇ ନ୍ୟାୟିକ ହେପାଜତରେ ଅଛନ୍ତି। ପୁଲିସ ବିଭିନ୍ନ ଡିଜିଟାଲ୍ ପ୍ରମାଣ, ସିସିଟିଭି ଫୁଟେଜ୍, ଭିଜିଟର୍ ରେଜିଷ୍ଟର ଏବଂ ଅନ୍ୟାନ୍ୟ ସାକ୍ଷ୍ୟ ଆଧାରରେ ତଦନ୍ତ ଜାରି ରଖିଛି।ପ୍ରକାଶ ପାଶୱାନଙ୍କ ଗିରଫ ପରେ ସର୍କିଟ ହାଉସ୍ ମାମଲାରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ସହ ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ଭାବ୍ୟ ସମ୍ପୃକ୍ତି ନେଇ ତଦନ୍ତ ନୂଆ ଦିଗକୁ ଗତି କରିପାରେ। ଏହି ପରିପ୍ରେକ୍ଷିତରେ ରାଉରକେଲା ପୁଲିସ୍ ର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page