ସମବାୟ ମନ୍ତ୍ରୀଙ୍କ ଜୟଦେବ ନିର୍ବାଚନ ମଣ୍ଡଳୀ ପରିଦର୍ଶନ
ବାଲିଅନ୍ତା ୨୯|୧୨: ବିଲରେ ପଡିଛି କଚଡ଼ା, ରାସ୍ତାରେ ଶୁଖୁଛି ବର୍ଷାରେ ଧୋଇଯାଇଥିବା କଟାଧାନ l ଆଉ ଗଜାଧାନକୁ ଦେଖାଇ କୋହଭରା କଣ୍ଠରେ କ୍ଷୟକ୍ଷତି ବଖାଣିଲା ବେଳେ ଚାଷୀଙ୍କ ଆଖିରୁ ଧାର ଧାର ଲୁହ ଗାଡିଯାଇଥିଲା l ଆଜି ଜୟଦେବ ନିର୍ବାଚନମଣ୍ଡଳୀରେ ଲଘୁଚାପ ଜନିତ ବର୍ଷାରେ କ୍ଷୟକ୍ଷତି ସମୀକ୍ଷା କରିବାକୁ ଆସିଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ଚାଷୀ ମାନେ ନିଜର ଉଜୁଡା ଫସଲକୁ ଦେଖାଇବା ଦୃଶ୍ୟ ବାରି ହୋଇପଡ଼ିଥିଲା ଚାଷୀପୁଅର କ୍ଷତିପୂରଣର ଆକଳନ l

ଧାର କରଜ କରି ଫସଲ କରିଥିବା ଚାଷୀର ବର୍ଷକର ପରିଶ୍ରମ ଏବେ ବିଲରେ ପାଣିରେ ଭାସୁଛି ବୋଲି ଚାଷୀମାନେ କହିଥିଲେ l ମନ୍ତ୍ରୀ ଶ୍ରୀ ସାମନ୍ତ ଆଜି ପୂର୍ବାହ୍ନ ୧୧ ଟାରେ ବାଳକାଟି ବଜାରରେ ପହଞ୍ଚିବା ବେଳେ ବିଜେପି କର୍ମୀମାନଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ପରେ ମନ୍ତ୍ରୀ ବାଲିଅନ୍ତା ବ୍ଲକ ଅଧିନ ପୁରଣପ୍ରଧାନ ପଞ୍ଚାୟତ ବୋଧଖଣ୍ଡି, ପୁରୋହିତପୁର ପଞ୍ଚାୟତ ବାରିଜଙ୍ଗ ଓ ପୁରୋହିତପୁର ଗାଁ ଏବଂ ବାଲିପାଟଣା ବ୍ଲକ ପମ୍ପାଲୋ ଗ୍ରାମରେ ଏହି କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ l ଉପରୋକ୍ତ ଗାଁରେ ମନ୍ତ୍ରୀ ଓ ବିଭିନ୍ନ ଅଧିକାରୀ ପହଞ୍ଚିବା ପରେ କ୍ଷତି ହୋଇଥିବା ଚାଷୀ ଉଜୁଡା ଫସଲ ଧରି ଘେରି ଯାଇଥିଲେ l ମନ୍ତ୍ରୀ ଚାଷୀଙ୍କ ଦୁଃଖରେ ସମଦୁଃଖୀ ହୋଇ ସେମାନଙ୍କୁ ବୁଝାଇବା ସହ ଆଲୋଚନା କରି ସାନ୍ତ୍ୱନା ଦେଇଥିଲେ। ଯାହାର ଫସଲ ନଷ୍ଟ ହୋଇଚି ଉପଯୁକ୍ତ ତଦନ୍ତ କରି ସେମାନଙ୍କୁ କ୍ଷତି ପୂରଣ ସରକାରଙ୍କ ତରଫରୁ ଦିଆଯିବ ବୋଲି କହିଥିଲେ । ସେହିପରି ଚାଷୀ ପ୍ରଧାମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ଜନସେବାକେନ୍ଦ୍ର, ନିଜ ସ୍ମାର୍ଟଫୋନ କିମ୍ବା ଦେୟମୁକ୍ତ ନମ୍ୱର୍ ୧୪୪୪୭ କିମ୍ୱା ‘କୃଷକ ରକ୍ଷକ’ ଆପରେ ଯାଇ ଆବେଦନ କରିବାକୁ କହିଥିଲେ। ଆବେଦନ ର ୧୦ଦିନ ମଧ୍ୟରେ ସ୍ଥାନୀୟ ତହସିଲଦାର କିମ୍ବା ରାଜସ୍ବ ନିରୀକ୍ଷକ ଫୋଟୋ ଉଠାଇ ଉପଯୁକ୍ତ କ୍ଷତି ପୂରଣ ଦେବେ ବୋଲି ସୂଚନା ଦେଇଛନ୍ତି। ମାତ୍ର ଏହି ନମ୍ବର ଅଧିକାଂଶ ସମୟରେ ଲାଗୁନଥିବା କ୍ଷୋଭର ସହ କହିଥିଲେ ଚାଷୀ l ସେହିପରି କିଛି କ୍ଷୁଦ୍ର ଓ ନାମମାତ୍ର ଚାଷୀ କିଭଳି କ୍ଷତିପୂରଣ ପାଇବେ ବୋଲି ପ୍ରଶ୍ନରେ ଏଥିପାଇଁ ସରକାରଙ୍କ ସହ ଆଲୋଚନା କରାଯିବ ଵୋଲି କହିଥିଲେ l ଅପରପକ୍ଷରେ ସମବାୟ ପକ୍ଷରୁ ହେବାକୁ ଥିବା ଖରିଫ ଧାନମଣ୍ଡିରେ ସବୁପ୍ରକାର ଧାନକୁ କ୍ରୟ କରୁବୋଲି ଚାଷୀ ମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ l ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବାଲିଅନ୍ତା ତହସିଲଦାର ବିମଳ କୁମାର ଲେଙ୍କା, ବାଲିପାଟଣା ତହସିଲଦାର କଳ୍ପନା ଦାସ, ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ସେନାପତି, ଭୁବନେଶ୍ୱର କୃଷି ଜିଲ୍ଲା ଅଧିକାରୀ ମନୋରଞ୍ଜନ ରାଉଳ, ବରିଷ୍ଠ ବିଜେପି ନେତା ବସନ୍ତ ନାୟକ, ସାଂସଦ ପ୍ରତନିଧି ଶିବ ମଲ୍ଲିକ, ପ୍ରଦୀପ୍ତ ମହାନ୍ତି, ସିଦ୍ଧେଶ୍ୱର ନାଥ, କେଳୁଚରଣ ବେହେରା, ଜୟନ୍ତ ଜେନା ସମେତ ବିଭିନ୍ନ ସର୍କଲର ରାଜସ୍ବ ନିରୀକ୍ଷକ ଉପସ୍ଥିତ ଥିଲେ l