ବ୍ୟବସାୟୀଙ୍କୁ ଆକ୍ରମଣ ଏବଂ ପୁଲିସ ତଦନ୍ତରେ ବାଧା ଦେବା ଅଭିଯୋଗରେ ଜଣେ ଗିରଫ

ବାଲିଅନ୍ତା,୧୮|୭(:ବ୍ୟବସାୟୀଙ୍କୁ ଆକ୍ରମଣ ଏବଂ ପୁଲିସର ତଦନ୍ତରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ସମ୍ପୃକ୍ତ ଥାନା ଅଧିନ ଶିଶୁପାଳଗଡ଼ ଅଞ୍ଚଳର ବାବୁନା ଓରଫ ପ୍ରସନ୍ନ କୁମାର ଜେନା l ଅଭିଯୁକ୍ତ ବାବୁନା ଜଣେ ପେସାଦାର ଅପରାଧି l ତାଙ୍କ ବିରୋଧରେ ଧଉଳି, ବଡ଼ଗଡ଼, ଶ୍ରୀ ଲିଙ୍ଗରାଜ ଥାନାର ହତ୍ୟା ଉଦ୍ୟମ, ଦଙ୍ଗା, ଆକ୍ରମଣ, ଧମକ, ଅସ୍ତ୍ରଆଇନ ଆଦି ୨୫ ଟି ଅପରାଧିକ ମାମଲା ରହିଥିବା ତଦନ୍ତରେ ଜଣାପଡିଛି l ଖବରନେବାରେ ଜଣାପଡିଛି ସ୍ଥାନୀୟ ଅଞ୍ଚଳର କୈଳାଶ ଚନ୍ଦ୍ର ଦାସ ଜଣେ ଅନୁସୂଚିତ ବର୍ଗର ବ୍ୟକ୍ତି l ରଘୁନାଥପୁର ମୌଜାରେ ତାଙ୍କ ଜମି ଉପରେ ଦୀର୍ଘଦିନ ଧରି ଦୋକାନ ଘର ନିର୍ମାଣ କରି ଭଡ଼ାରେ ଦେଇଆସୁଥିଲେ। ସମ୍ପୃକ୍ତ ଜମିକୁ ନେଇ ଦୀର୍ଘଦିନ ଧରି ରାଜସ୍ୱ ବିବାଦ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବା ସହିତ ଉଭୟ ପକ୍ଷଙ୍କୁ ସ୍ଟାଟସ-କୋ ବଜାୟ ରଖିବାକୁ ନିର୍ଦ୍ଦେଶ ଥିଲା। ଏହା ସତ୍ତ୍ୱେ ଅଭିଯୁକ୍ତ ପ୍ରସନ୍ନ ଓ ତାଙ୍କ ସହଯୋଗୀମାନେ ବଳପୂର୍ବକ ଦୋକାନ ଦଖଲ କରିବାକୁ ଉଦ୍ୟମ କରିଥିଲେ।
ଅଭିଯୋଗକାରୀ ଶ୍ରୀ ଦାସ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ l ଏପରିକି ସର୍ବସାଧାରଣରେ ତାଙ୍କ ଜାତି ନାମ ଧରି ଅପମାନିତ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ତାଙ୍କ କାମରେ ମଧ୍ୟ ବାଧା ସୃଷ୍ଟି କରି ସେମାନଙ୍କୁ ଧମକ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ପୃଥକ ଭାବେ ଧଉଳି ଥାନାରେ ଆଉ ଏକ ମାମଲା ମଧ୍ୟ ରୁଜୁ ହୋଇଛି।
ତଦନ୍ତ ସମୟରେ ଅଭିଯୋଗକାରୀ, ସାକ୍ଷୀମାନଙ୍କ ବୟାନ, ରାଜସ୍ୱ ବିଭାଗ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସମେତ ବିଭିନ୍ନ ଦସ୍ତାବିଜ ସଂଗ୍ରହ କରାଯାଇଥିଲା। ବିଶ୍ୱସ୍ତ ସୂଚନା ଆଧାରରେ ତାଙ୍କୁ କାବୁ କରାଯାଇ ପଚରାଉଚରା କରାଯାଇଥିଲା। ସଂଗୃହୀତ ପ୍ରମାଣରୁ ଅଭିଯୁକ୍ତ ପ୍ରସନ୍ନ ଜେନାଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page