ସୋନ୍ ନଦୀ ବୁଝାମଣା ଆଶା ସୃଷ୍ଟି କରିଛି, କିନ୍ତୁ ମହାନଦୀ ପାଇଁ ଆବଶ୍ୟକ ନଦୀ ଅବବାହିକା ଭିତ୍ତିକ ସମାଧାନ – ମହାନଦୀ ବଞ୍ଚାଅ ଆନ୍ଦୋଳନ


ମହାନଦୀ ବଞ୍ଚାଅ ଆନ୍ଦୋଳନ
୧ ସେପ୍ଟେମ୍ବର ୨୦୨୬

ଭୁବନେଶ୍ୱର ତା ୧l ୯ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ସୋନ୍ ନଦୀ ଜଳ ବଣ୍ଟନ ନେଇ ହୋଇଥିବା ବୁଝାମଣାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ସ୍ୱାଗତ କରୁଛି। ଏହା ପ୍ରମାଣ କରିଛି ଯେ ରାଜନୈତିକ ଇଚ୍ଛାଶକ୍ତି, ଆଲୋଚନା ଓ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ମାଧ୍ୟମରେ ଦୀର୍ଘଦିନର ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ସମ୍ଭବ। କିନ୍ତୁ ମହାନଦୀ ଜଳ ବିବାଦ ମୌଳିକ ଭାବରେ ସୋନେ ନଦୀ ଠାରୁ ଭିନ୍ନ ଏବଂ କେବଳ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜଳ ବାଣ୍ଟିଦେବା ଦ୍ୱାରା ଏହାର ସମାଧାନ ହୋଇପାରିବ ନାହିଁ। ମୂଳ ପ୍ରଶ୍ନ ହେଉଛି—ନ୍ୟାୟସଙ୍ଗତ ଭାବେ ଜଳ ବ୍ୟବହାର ସୁନିଶ୍ଚିତ କରିବା ସହିତ ମହାନଦୀକୁ ଏକ ସଜୀବ ଓ ପରିବେଶଗତ ଭାବେ ସୁସ୍ଥ ନଦୀ ଭାବେ କିପରି ସୁରକ୍ଷିତ ରଖାଯିବ। ଜଳ ଉପଲବ୍ଧତାର ପରିମାଣ ନେଇ ଓଡ଼ିଶା ଓ ଛତିଶଗଡ ଭିତରେ ଗଭୀର ମତଭେଦ ରହିଛି। ଛତିଶଗଡ଼ ପ୍ରାୟ ୨୭.୪୮ ନିୟୁତ ଏକର ଫୁଟ ଜଳ ଦାବି କରିଥିବାବେଳେ, ଓଡ଼ିଶା ଏହାକୁ ଅସ୍ୱୀକାର କରି ଆସିଛି l ଛତିଶଗଡ଼ରେ ପ୍ରାୟ ୨୪.୨୭ ନିୟୁତ ଏକର ଫୁଟ ଜଳ ଉପଲବ୍ଧ ଏବଂ ସେଥିରୁ ମାତ୍ର ୧୦.୮୩ ନିୟୁତ ଏକର ଫୁଟ ଜଳ ବ୍ୟବହାରଯୋଗ୍ୟ ବୋଲି ଓଡ଼ିଶା ଆଗରୁ ଦର୍ଶାଇଛି। ଏହା ସହିତ ଓଡ଼ିଶା ନଭେମ୍ବରରୁ ମେ’ ପର୍ଯ୍ୟନ୍ତ ଅଣମୌସୁମୀ ସମୟରେ ୧.୭୪ ନିୟୁତ ଏକର ଫୁଟ ଜଳ ପ୍ରବାହ ସୁନିଶ୍ଚିତ କରିବା ପାଇଁ ଦାବି କରିଆସିଛି। ତେଣୁ କୌଣସି ବୁଝାମଣା ପୂର୍ବରୁ ଜଳ ଉପଲବ୍ଧତା ସମ୍ପର୍କରେ ସ୍ୱଚ୍ଛ, ବୈଜ୍ଞାନିକ ଓ ଉଭୟ ରାଜ୍ୟ ଦ୍ୱାରା ଗ୍ରହଣୀୟତl ର ସଠିକ୍ ମୂଲ୍ୟାୟାନ ଆବଶ୍ୟକ। ସେହିପରି ଛତିଶଗଡ଼ର ଉପର ମହାନଦୀ ଅବବାହିକା ଏବଂ ମହାନଦୀର ବିଭିନ୍ନ ଉପନଦୀ ଉପରେ ନିର୍ମିତ ବହୁ ସଂଖ୍ୟକ ବନ୍ଧ, ବ୍ୟାରେଜ୍ ଓ ଜଳ ବିଭାଜନ ପ୍ରକଳ୍ପର ତଳ ମୁଣ୍ଡରେ ପ୍ରଭାବ ମଧ୍ୟ ଏହି ବିବାଦର ଅବିଚ୍ଛିନ୍ନ ଅଂଶ। ବିଶେଷକରି ଅଣମୌସୁମୀ ସମୟରେ ତଳମୁଣ୍ଡକୁ ଜଳପ୍ରବାହ ଏବଂ ମହାନଦୀର ପରିବେଶ ଉପରେ ଏହାର ପ୍ରଭାବକୁ ସ୍ୱାଧୀନ ଭାବେ ମୂଲ୍ୟାୟନ କରାଯିବା ଆବଶ୍ୟକ। ଆବଶ୍ୟକ ବୈଧାନିକ ଅନୁମୋଦନ କିମ୍ବା ଆନ୍ତଃରାଜ୍ୟ ପରାମର୍ଶ ବିନା, ବେଆଇନ ଭାବରେ ନିର୍ମିତ ହୋଇଥିବା ପ୍ରକଳ୍ପଗୁଡ଼ିକର *ଆଇନଗତ ଓ ପରିବେଶୀୟ ସ୍ଥିତି ମଧ୍ୟ ସ୍ୱାଧୀନ ଭାବେ ଯାଞ୍ଚ କରାଯିବା ଉଚିତ। ମହାନଦୀ କେବଳ ବାଣ୍ଟିବା ପାଇଁ ଥିବା ଏକ ଜଳ ଉତ୍ସ ନୁହେଁ ବୋଲି ମହାନଦୀ ବଞ୍ଚାଅ ଆନ୍ଦଳନ ବିଚାର କରେ l ଏହାର ପ୍ରବାହ କୃଷି, ମତ୍ସ୍ୟଜୀବୀ, ଭୂତଳ ଜଳ ପୁନର୍ଭରଣ, ଜଳାଭୂମି, ବନ୍ୟାଭୂମି, ହୀରାକୁଦ, ବିଶାଳ ଡେଲ୍ଟା ଏବଂ ଶେଷରେ ଉପକୂଳୀୟ ପରିସଂସ୍ଥାକୁ ଜୀବନ ଦେଇଥାଏ। ତେଣୁ ମହାନଦୀ ସମ୍ପର୍କରେ ବୁଝାମଣା ବର୍ଷ ସାରା, ବିଶେଷକରି ଅଣମୌସୁମୀ ସମୟରେ, ବୈଜ୍ଞାନିକ ଭାବେ ନିର୍ଦ୍ଧାରିତ ପରିବେଶୀୟ ଜଳପ୍ରବାହ ଉପରେ ପର୍ଯ୍ୟବେସିତ ହେବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ ଏହି ସମସ୍ୟାକୁ ଆହୁରି ଗମ୍ଭୀର କରିଛି। ବର୍ଷାର ଢାଞ୍ଚାରେ ପରିବର୍ତ୍ତନ, ବଢ଼ୁଥିବା ଜଳବାୟୁ ଅନିଶ୍ଚିତତା, ଅତ୍ୟଧିକ ବନ୍ୟା ଏବଂ ଦୀର୍ଘ ଶୁଷ୍କ ସମୟ ମହାନଦୀର ଭବିଷ୍ୟତ ଜଳ ଉପଲବ୍ଧତାକୁ ପ୍ରଭାବିତ କରୁଛି। ତେଣୁ କେବଳ ଐତିହାସିକ ତଥ୍ୟ ଓ ଜଳ ବଣ୍ଟନ ଉପରେ ଆଧାରିତ ବୁଝାମଣା ଭବିଷ୍ୟତ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ। ମହାନଦୀ ବଞ୍ଚାଅ ଆନ୍ଦୋଳନ ଶ୍ରୀ ଅମିତ ଶାହ, କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରୁଛି ଯେ ଯେକୌଣସି ସମାଧାନ ସହମତି ଭିତ୍ତିକ ଜଳ ମୂଲ୍ୟାୟାନ, ଓଡ଼ିଶାର ଆବଶ୍ୟକ ଅଣମୌସୁମୀ ଜଳପ୍ରବାହର ସୁରକ୍ଷା, ଉପରମୁଣ୍ଡର ପ୍ରକଳ୍ପଗୁଡ଼ିକର ନଦୀର ପ୍ରବାହ ଉପରେ ପ୍ରଭାବ ମୂଲ୍ୟାଙ୍କନ, ଆଇନଗତ ଭାବେ ସୁରକ୍ଷିତ ପରିବେଶୀୟ ଜଳପ୍ରବାହ ଏବଂ ଜଳବାୟୁ-ସହନଶୀଳ ନଦୀ ଅବବାହିକା ପରିଚାଳନା ଉପରେ ଆଧାରିତ ହେଉ। ଉଭୟ ରାଜ୍ୟର ବିକାଶମୂଳକ ଆବଶ୍ୟକତାକୁ ସମ୍ମାନ ଦିଆଯାଉ, କିନ୍ତୁ ତାହା ମହାନଦୀର ପରିବେଶୀୟ ସନ୍ତୁଳନକୁ ଅଣ ଦେଖା କରା ନଯାଉ l ସୋନ୍ ନଦୀ ଜଳ ବିବାଦର ସମାଧାନ ପାଇଁ ଯଦି ରାଜନୈତିକ ଇଚ୍ଛାଶକ୍ତି ଓ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ଉଦାହରଣ ସୃଷ୍ଟି ହୋଇପାରିଛି, ତେବେ ମହାନଦୀର ମୂଳ ସମସ୍ୟା—ଉପରମୁଣ୍ଡର ନଦୀ ଉପରେ ବେଆଇନ ନିର୍ମାଣ ତଥା ହସ୍ତକ୍ଷେପ ଓ ନଦୀର ପରିବେଶୀୟ ପ୍ରବାହ—କୁ ସମାଧାନ କରିବା ପାଇଁ ସମାନ ରାଜନୈତିକ ଇଚ୍ଛାଶକ୍ତି ଦେଖାଯିବ କି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରଶ୍ନ କରିଛି l ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହା, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି ଆର ପାଟିଲ ତଥା ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆବାହକ ଶ୍ରୀ ସୁଦର୍ଶନ ଦାସ, ସହ ଆବାହକ ବାସୁଦେବ ଭଟ୍ଟ ସମେତ ଶ୍ରୀ ଗିରିଜା ଶଙ୍କର ଦାସ, ବିଜୟ ପ୍ରଧାନ, ପ୍ରକାଶ ରଥ, ସଚ୍ଚିକାନ୍ତ ପ୍ରଧାନ, ପ୍ରସନ୍ନ ବିଷୋୟୀ, ପ୍ରଭାସିନୀ ରାଉତ, ଅଶୋକ ପାଇକରାୟ ପ୍ରମୁଖ ଏକ ବିବୃତ୍ତିରେ ଜଣାଇଛନ୍ତି l

ପ୍ରସନ୍ନ ବିଷୋୟୀ
ପ୍ରବକ୍ତା
ମହାନଦୀ ବଞ୍ଚାଅ ଆନ୍ଦୋଳନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page