ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ବିଷ୍ଣୁ ମେଳନ

ବାଲୁଗାଁ, ପରମ୍ପରା ଅନୁଯାୟୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ବାଲୁଗାଁ ପାଟଣା ସାହିରେ ଗ୍ରାମ୍ୟ ପୂଜା କମିଟି ତରଫରୁ ଶନିବାର ଦିନ ବିଷ୍ଣୁ ମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପାଟଣା ସାହି ଶ୍ରୀ ରାଧାକୃଷ୍ଣ ଦେବଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ଥାନୀୟ କୁଳାକୁଣ୍ଢେଇ ନୂଆଗାଁର ଶ୍ରୀ ରାଧାଗୋବିନ୍ଦ ଦେବ, ନିମିକ୍ଷେତ୍ର ଗ୍ରାମର ଶ୍ରୀ ଭାଗବତ ଦେବ, ସାନ୍ତରାପୁର ସାହିର ଶ୍ରୀ ଦଧିବାମନ ଦେବ, ହନୁମାନ ପରିବା ବ୍ୟବସାୟୀ ସଂଘର ଶ୍ରୀ ରଘୁନାଥ ଦେବ, ପାଟଣା ସାହି ଶ୍ରୀ ଗୋପାଳଜୀଉ ଦେବ ଏବଂ ମା’ ଜାଗୁଳାଇ ଠାକୁରାଣୀ ଏକତ୍ରିତ ହୋଇ ଘଣ୍ଟ, ମୃଦଙ୍ଗ, ଝାଞ୍ଜ କୀର୍ତ୍ତନ ସହ ବାଲୁଗାଁ ବଜାର ପରିକ୍ରମା କରି ପାଟଣା ସାହି ସ୍ଥିତ ମଣ୍ଡପରେ ବିରାଜମାନ ହୋଇଥିଲେ। ଅପରାହ୍ନରେ ୬ ବିଷ୍ଣୁଙ୍କ ସହ ପାଟଣା ସାହିର ପ୍ରସିଦ୍ଧ କାଠି ଠାକୁରାଣୀ ମା’ ଜାଗୁଳାଇଙ୍କ ମିଳନ ଉତ୍ସବ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। ଗ୍ରାମର ଅଧିକାରୀ ଧୋବା ବିଶ୍ୱାଳ, ବୈକୁଣ୍ଠ ବେହେରାଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

ଏହି ଅବସରରେ ସୁଦୂର ପାରିକୁଦଗଡ, ପାରାଦ୍ୱୀପ ଏବଂ ବାଣପୁର ପଙ୍କାଳ ତଥା ଆଖପାଖ ଅଞ୍ଚଳରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀମାନେ ୨୪ ପ୍ରହର ନାମ ଯଜ୍ଞ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶେଷରେ ୬୪ ବ୍ରାହ୍ମଣଙ୍କ ଦ୍ୱାରା ଭାଗବତ ଗୀତା ପଠନ ପରେ ମେଳନ ପର୍ବ ସମାପନ ହୋଇଥିଲା।ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବାଲୁଗାଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।


ବାଲୁଗାଁ ପ୍ରତିନିଧି
ଆଦିତ୍ୟ ନାରାୟଣ ବେହେରା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page