ଗଭୀର ଜଳ ଭିତରେ ଦେଶୀ ଡଙ୍ଗାରେ ବିପଦ ପୁର୍ଣ ଯାତ୍ରା

ଇତି ମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁ ନିର୍ମାଣ ପ୍ରକ୍ରିୟା ଅଟକି ରହିଛି

କଳାହାଣ୍ଡି,୨O|୩(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ପେଟର କ୍ଷୁଧା ମେଣ୍ଟାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଜଳ ଭଣ୍ଡାରରେ ଦେଶୀ ଡଙ୍ଗାରେ ଦୀର୍ଘ ୮କିମି ଯାତ୍ରା କରୁଛନ୍ତି ଲୋକେ। ଏମିତି ଚିତ୍ର କଳାହାଣ୍ଡି ଜିଲାର ବହୁମୁଖୀ ଇନ୍ଦ୍ରାବତୀ ପ୍ରକଳ୍ପ ଜଳ ଭଣ୍ଡାରରେ ଦେଖିବାକୁ ମିଳିଛି। ଦୀର୍ଘ ୨୬ ବର୍ଷ ହେଲା ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି ଇନ୍ଦ୍ରାବତୀ ଜଳ ଭଣ୍ଡାରର ଅଞ୍ଚଳବାସୀ। ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ରହିଛି ଜିଲାର ଥୁଆମୂଳ ରାମପୁର ବ୍ଲକ ପୋଡାପଦର ପଞ୍ଚାୟତର ୧୬ ଓ ମାଲିଗାଁ ପଞ୍ଚାୟତର ଝିରି ଗାଁ। ଏହିସବୁ ଗାଁର ଲୋକମାନଙ୍କ ଯିବା ଆସିବା ପାଇଁ ନିତିଦିନ କାଠ ଡଙ୍ଗା ହିଁ ଏକମାତ୍ର ଭରସା। ସରକାରଙ୍କ ପିଡ଼ିଏସ୍ ଚାଉଳ ପାଇଁ ଗାଁ ଲୋକେ ନିକଟସ୍ଥ ପଞ୍ଚାୟତକୁ ଏପରି ଯିବାଆସିବା କରିଥାନ୍ତି। କେବଳ ଚାଉଳ ପାଇଁ ନୁହେଁ, ଦୈନନ୍ଦିନ ସାମଗ୍ରୀ କିମ୍ବା ଡାକ୍ତରଖାନା ଯିବା ପାଇଁ ମଧ୍ୟ ଏହି କାଠ ଡଙ୍ଗା ସେମାନଙ୍କ ସାହା ଭରସା। ୧୯୯୯ ମସିହାରେ ୧୧୦ ବର୍ଗ କିମି ପରିବ୍ୟାପ୍ତ ଇନ୍ଦ୍ରାବତୀ ଜଳ ଭଣ୍ଡାର ସୃଷ୍ଟି ହେବା ପରେ ବିଭିନ୍ନ ଟାପୁରେ ରହିଥ‌ିବା ଲୋକଙ୍କ ପାଇଁ ପ୍ରଥମ କରି ସାମାଜିକ ଓ ଅର୍ଥନୀତି ଉପରେ ଗଭୀର ଛାପ ପଡ଼ିବା ଆରମ୍ଭ ହେଲା। ପରବର୍ତ୍ତୀ ସମୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ ଆଦି ମୌଳିକ ଅଧିକାର ମଧ୍ୟ ଅପହଞ୍ଚ ପାଲଟିଲା। ଏକ ଅନିଶ୍ଚିତ ଜୀବନ ଯାତ୍ରାରେ ସେମାନଙ୍କ ପାଇଁ କାଠ ଡଙ୍ଗା ହିଁ ରେଖା ପାଲଟିଲା। ଝାଡାବାନ୍ତିରେ ମୃତ୍ୟୁ କ୍ରମାଗତ ଡଙ୍ଗା ବୁଡି ଲୋକଙ୍କ ଜୀବନ ଧାରଣର ମାନସିକତାକୁ ସମ୍ପୂର୍ଣ୍ଣ ଦୁର୍ବଳକରିଦେଲା। ଲୋକଙ୍କ ମଧ୍ୟରେ ଆଶା ସଂଚାର କଲାଭଳି ସାମାନ୍ୟ ଆଶ୍ବାସନା ମନୋବଳକୁ ଟିକେ ଦୃଢ଼ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟର ପ୍ରତାରଣା ସେମାନଙ୍କୁ ଅନ୍ଧାର ଭିତରକୁ ଟାଣି ନେଇଥିଲା। ଜିଲାର ଥୁଆମୂଳ ରାମପୁର ବ୍ଲକର ଭୌଗୋଳିକ ପରିସୀମାକୁ ଦୁଇଭାଗରେ ବିଭକ୍ତ କରୁଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଉପରେ ଏକ ସେତୁ ନିର୍ମାଣ ପାଇଁ କେନ୍ଦୁଗୁଡା ଘାଟରୁ ୨୦୧୪ ମସିହାରୁ ପ୍ରସ୍ତୁତି ଆରମ୍ଭ ହେଲା। ୨୦୨୨ରେ ଚୁକ୍ତି ସ୍ବାକ୍ଷରିତ ହୋଇ ୫୪.୯୯ କୋଟିର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ସହିତ ୨୦୨୪ରେ ସେତୁ ପୂର୍ଣାଙ୍ଗ ହେବାର ପରିକଳ୍ପନା କରାଯାଇଥିଲା। କିନ୍ତୁ ସମୟ ସ୍ରୋତରେ ସବୁକିଛି ଦୂରେଇଗଲା |ଏବେ ନିର୍ମାଣ ସ୍ଥଳୀରେ କାହାର ଦେଖା ମିଳୁ ନ ଥିବା ଲୋକଙ୍କ ଆଶଙ୍କାକୁ ବଢ଼ାଇବାରେ ଲାଗିଲାଣି। ସେହିପରି ଡି ଚେପଟା ଘାଟରୁ କେ ଚେପଟା ଘାଟ ପର୍ଯ୍ୟନ୍ତ ସଡକ ସଂଯୋଗ ପାଇଁ ଗୋଲା ଗାଢ଼ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଟେଣ୍ଡର ଚୁଡାନ୍ତ କରାଗଲା। କିନ୍ତୁ ଇତିମଧ୍ଯରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁ ନିର୍ମାଣ ପ୍ରକ୍ରିୟା ମୂଳଦୁଆରେ ହିଁ ଅଟକି ରହିଛି। ଏହା ପୂର୍ଣାଙ୍ଗ ହୋଇଥିଲେ ପୋଡ଼ା ପଦର ପଞ୍ଚାୟତର ୧୬ଟି ଜଳବନ୍ଦୀ ଗ୍ରାମ ପାଇଁ ସଂଯୋଗ ବ୍ୟବସ୍ଥା ହେବା ସହିତ ରାୟଗଡ଼ା ଓ ନବରଙ୍ଗପୁର ଜିଲା ସଂଯୋଗ ହୋଇପାରିଥାନ୍ତା। ଏହିସବୁ ମୌଳିକ ଆବଶ୍ୟକ‌ତା ଲୋକଙ୍କ ପାଇଁ ମରୀଚିକା ପାଲଟିଥିବା ବେଳେ ଏବେ ଲୋକେ ଏହା ସରକାରଙ୍କ ବିକାଶ ନାମରେ ପ୍ରତାରଣା ବୋଲି କହିବା ଆରମ୍ଭ କରିଦେଲେଣି।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page