ବାଲିଅନ୍ତା, ୧୫ ।୪ ଗୋବର୍ଦ୍ଧନ ଦାସ: ବାଲିଅନ୍ତା ବ୍ଲକ୍ ସରକଣା ପଞ୍ଚାଯତରେ ପ୍ରସିଦ୍ଧ ଫୋଡା ପାଟୁଆ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୮ ଜଣ ମାନସିକଧାରୀ ୭ ଦିନଧରି ହବିଷ୍ୟାନ୍ନ ଖାଇ ନିଷ୍ଠାରେ ରହିଥିଲେ। ପ୍ରତ୍ୟୁଷରୁ ମା’ ମଙ୍ଗଳାଙ୍କୁ ସ୍ନାନ ପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ସିନ୍ଦୁର, ଝୁଣା, ଦୀପଦେଇ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପରେ ନିର୍ଦ୍ଧାରିତ ନୀତି କାନ୍ତି ଅନୁସାରେ ପୁଜାଅର୍ଚ୍ଚନା ସରିବାପରେ ମାନସିକଧାରୀ ବ୍ୟକ୍ତି ଅପରାହ୍ନରେ ବିରାଟ ପଟୁଆରରେ ବାଜାବାଣ ଫୁଟାଇ ନିକଟସ୍ଥ ପୋଖରୀରେ ଯମୁନା ଗାଧୋଇଥିଲେ। ପରେ ପାରମ୍ପାରିକ ନୀତି ଅନୁସାରେ ସେଠାରେ ସେମାନଙ୍କ ପିଠିରେ ଲୁହା କଣ୍ଟା ଫୋଡ଼ା ଯାଇଥିଲା। ପରେ ସେମାନେ ସରକଣାସ୍ଥିତ ମା’ ଭଗବତୀ, ମହାବୀର ଦେବ ଓ ଗୋପୀନାଥ ଦେବ ମନ୍ଦିର ଚାରିପାଟେ ୭ ଘେରା

ବୁଲିଥିଲେ। ଘଣ୍ଟଘଣ୍ଟା ଢୋଲ ବଜାଇ ପୋଖରୀରୁ ଚରଖି ଓ ଖାଇଖୁଣ୍ଟ ଉପରକୁ ଆଣି ସେଠାରେ ଖାଲ ଖୋଳାଯାଇ ମେରୁ ଖାଇରେ ବିଳମ୍ବିତ ରାତିରେ ମା’ ମଙ୍ଗଳାଙ୍କୁ ସ୍ଥାପନା କରି ମୁଖ୍ୟ କାଳିସୀ ଗଙ୍ଗାଧର ଭୋଇ ପ୍ରଥମେ ଚରଖି ବୁଲିସାରିବା ପରେ ଅନ୍ୟ ପାଟୁଆ ମାନେ ବୁଲିଥିଲେ। କାର୍ଯ୍ୟକ୍ରମକୁ ଗ୍ରାମବାସୀ, ମା’ ମଙ୍ଗଳା ମନ୍ଦିର ପରିଚାଳନା କମିଟି ଏବଂ ଆଖପାଖ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ଉପଭୋଗ କରିଥିଲେ। ବାଲିଅନ୍ତା ପୁଲିସ ଉକ୍ତ କାର୍ଯ୍ୟକ୍ରର୍ମକୁ ସୁଚର୍ ରୂପେ ସଂପାଦନ କରିଥିଲେ।ସେହିପରି ବାଳକାଟିସ୍ଥିତ ମା’

ଯାଗେଶ୍ୱରୀ, ମା’ ଭଗବତୀ, ହୀରାପୁରରେ ମା’ ସବାଖାଇ,ଗଡ଼କଣ୍ଡୁଣିଆଠାରେ ମା’ ଦୁଲ୍ଲାଦେବୀ, ନାଗପୁରରେ ମା’ ପଞ୍ଚମୁଖୀ, ଝିଣ୍ଟିଶାସନରେ ମା’ ମଙ୍ଗଳା ଆଦି ମା ଙ୍କ ପୀଠରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ଝାମୁ ଯାତ୍ରା ପାଳିତ ହୋଇଯାଇଛି। ଏସବୁ ସ୍ଥାନରେ ବହୁ ସଂଖ୍ୟକ ମାନସିକଧାରୀ ମାନେ ମୁଖ୍ୟ କଳେଶି ଙ୍କ ଛାଟ ଆଜ୍ଞା ପାଇ ନିଆଁରେ ଚାଲିଥିଲେ । ଶେଷରେ ମାନସିକଧାରୀ ମୁଖ୍ୟ କାଳେଶୀ ଙ୍କ ବିଭିନ୍ନ ଗ୍ରାମରେ ପଣା ପିଇ ପରିକ୍ରମା କରିଥିଲେ।
ଗୋବର୍ଦ୍ଧନ ଦାସ: ବାଲିଅନ୍ତା