ଭୁବନେଶ୍ୱର ତା 14/07/26 ଉତ୍କଳମଣି ତଥା ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ, ମହାନ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଶିକ୍ଷାବିତ, ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଗୋପବନ୍ଧୁ ଦାସଙ୍କ 98 ତମ ଶ୍ରାଦ୍ଧଦିବସ ଓ ବିଶିଷ୍ଟ ସମାଜସେବୀକା, ଲୋକକଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଜଗନ୍ନାଥ ଭଜନକୁ ଘରେ ଘରେ ପହଞ୍ଚାଇବାର ଅବିରତ ପ୍ରୟାସରେ ଲିପ୍ତା, ପୁଜ୍ୟପୂଜା ପ୍ରାଣ ସ୍ବର୍ଗତା ଉମାରାଣୀ ଶତପଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପବିତ୍ର ନେତ୍ରୋତ୍ସବ ଅବସରରେ “ଉତ୍କଳ ବୁଲେଟିନ ଚାରିଟାଵଲ ଟ୍ରଷ୍ଟ “ଓ ସାମାଜିକ ଅନୁଷ୍ଠାନ “ନାରାୟଣ ସେବା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଖାରବେଳନଗର ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟ ଟେକ୍ସଟବୁକ ପ୍ରେସ କଲୋନୀ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଫାଉଣ୍ଡେସନର ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ମହାନ୍ତି,ମୁଖ୍ୟ ବକ୍ତାଭାବେ ନାରାୟଣ ସେବା ଫାଉଣ୍ଡେସନର ସମ୍ପାଦିକା ସମିତା ମହାରଣା, ବୁଲେଟିନ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ଉପସ୍ଥିତ ରହିବା ସହ ବିଭିନ୍ନ ପ୍ରକାର ଚାରା ଯଥା ଆମ୍ବ, ପଣସ,ବେଲ, ଡାଳିମ୍ବ ସହିତ ପୁଷ୍ପଚାରା ରୋପଣ କରିଥିଲେ l

ମୁଖ୍ୟଅତିଥି ଶ୍ରୀଯୁକ୍ତ ଶତପଥୀ ଉତ୍କଳମଣି ଗୋପବନ୍ଧୁ ଦାସ ସମଗ୍ର ବିଶ୍ୱର ମଣି ଭାବେ ତାଙ୍କର ସ୍ୱତନ୍ତ୍ର ସମ୍ମାନ, ଗୌରବ ରହିବା ସହିତ ତାଙ୍କ ସମାଜସେବା, ସାମ୍ବାଦିକତା ତଥା ଶିକ୍ଷା ପ୍ରମୁଖ ଉପରେ ଜ୍ୱଳନ୍ତ ଅଭିଭାଷଣ ପ୍ରଦାନ କରିଥିଲେ l ବୃକ୍ଷରୋପଣ ଆଜିର ବହୁ ପ୍ରାସଙ୍ଗିକତା ବହନ କରେ ବୋଲି ମତବ୍ୟକ୍ତ କରିଥିଲେ l ସେହିପରି ସାରସ୍ୱତ ସାଧିକା ଉମାରାଣୀ ଶତପଥୀ ପୁଜ୍ୟପୂଜା, ମାନବବାଦ,ଲୋକସଂସ୍କୃତି ପରମ୍ପରାର ମୁଖ୍ୟଉତ୍ସ ବୋଲି ମତରଖିଥିଲେ l ଫାଉଣ୍ଡେସନ ସମ୍ପାଦିକା ସମିତା ମହାରଣା ଓ ବୁଲେଟିନ ଟ୍ରଷ୍ଟ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ପରିବେଶ, ପୁଜ୍ୟପୂଜା ସହିତ ଆଜିର ଯୁବପିଢ଼ି ମାତୃଭାଷା, ମାତୃଭୂମି ପ୍ରତି ଅନୁରକ୍ତ ହୋଇ କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ଅନିତା ପଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ କୁ ସମାଜସେବୀକା ପ୍ରଜ୍ଞା ପଟନାୟକ, ଭାଷାପ୍ରାଣ ସନ୍ତୋଷ ମଲ୍ଲିକ,ପ୍ରଫୁଲ୍ଲ ସାହୁ, ପ୍ରଶାନ୍ତ ବାରିକ, କିରଣ ପ୍ରମୁଖ ପରିଚାଳନା କରିଥିଲେ l ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା l
ଅରବିନ୍ଦ ତ୍ରିପାଠୀ
ସମ୍ପାଦକ, ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ, ଭୁବନେଶ୍ୱର