ମହଙ୍ଗା ପଡିଲା ଟେଣ୍ଡର କୁ ନେଇ ୨ ଥର ଲଟେରୀ କରିବା
କଳାହାଣ୍ଡି, ୨0|୩(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରକ୍ରିୟାରେ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା। ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଜଗନ୍ନାଥ ମଲ୍ଲିକ ବେନିୟମ ଭାବେ ଟେଣ୍ଡର ଲଟେରି କରି ଏବେ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବଙ୍କ ଦସ୍ତଖତ ଥିବା ଚିଠିରେ ଅଧୀକ୍ଷଣ ଯନ୍ତ୍ରୀ ମଲିକଙ୍କୁ ଗତ ୧୩ ମାର୍ଚ୍ଚରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନିଲମ୍ବିତ କରାଯାଇଥିବା ଜଣାପଡିଛି। ଭବାନୀପାଟଣା କକ୍ଷାକେନ୍ଦୁ ଯମୁନାସାଗର ଏମ୍ଆଇପି କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ଵାନ କରାଯାଇ ବେଆଇନ ଭାବେ ଦୁଇଥର ଲଟେରି ଉଠାଇ ଟେଣ୍ଡର ସ୍ତର ଫିଲିଂ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ଏହାର ଆଦେଶନାମା ମଙ୍ଗଳବାର ଅଫିସରେ ପହଞ୍ଚୁଛି। ଘଟଣାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲା କ୍ଷୁଦ୍ର ଜଳସେଚନ ବିଭାଗର ବିଡ୍ ନଂ. ୩/୨୦୨୪–୨୫ର ୧୦ଗୋଟି କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଟେଣ୍ଡରଗୁଡିକ ୧୪.୯୯% କମରେ ହେବା କାରଣରୁ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଗତ ନଭେମ୍ବର ୧୮ରେ ଲଟେରି ହୋଇଥିଲା। ଏହି ଟେଣ୍ଡରକୁ ଜନୈକ ଠିକାଦାର ପାଇଥିଲେ ସୁଦ୍ଧା ଟେଣ୍ଡର ପ୍ରକ୍ରିୟାରେ ଅନ୍ୟ ଜଣେ ଠିକାଦାରଙ୍କ ନାଁ ଭୁଲ ହୋଇଥିବା ଜଣାପଡିଥିଲା। ଭୁଲ ନାମରେ କେମିତି ଟେଣ୍ଡର କାର୍ଯ୍ୟ ଶେଷ କରାଗଲା ତାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥୁଲା। ଠିକାଦାରମାନେ ଏକଜୁଟ ହୋଇ ବିରୋଧ କରିବା ଆରମ୍ଭକରିଥିଲେ। ପରିଶେଷରେ ଅଧୀକ୍ଷଣ ଯନ୍ତ୍ରୀ ଟେଣ୍ଡର ବାତିଲ କରିବା ପରିବର୍ତ୍ତେ ଦ୍ଵିତୀୟଥର ଲଟେରି କରିଥିଲେ। ଏହା ସମ୍ପୂର୍ଣ୍ଣ ବେଆଇନ ଓ ଉଦ୍ଦେଶ୍ୟମୂଳକ ବୋଲି ଜଣାପଡିଥିଲା। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ ପୁଣି ଥରେ କିପରି ଲଟେରି ହେଲା ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ପରେ ଯେଉଁ ଠିକାଦାର ପ୍ରଥମ ଲଟେରି ମାଧ୍ଯମରେ ଟେଣ୍ଡର ହାସଲ କରିଥିଲେ ସେ ଦ୍ଵିତୀୟ ଲଟେରିରେ ନ ପାଇବା ଯୋଗୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠିଲେଖି ଜଣାଇଲେ। ଯନ୍ତ୍ରୀ ଜଣକ ଏହି ଖବର ପ୍ରଘଟ ନ ହେଉ ବୋଲି ଚେଷ୍ଟା ଚଳାଇ ଚୁପ ରହିଲେ। ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଜାଣିବା ପରେ ବିଭାଗର ଚେତା ପଶିଲା। ଅନ୍ୟ ଯନ୍ତ୍ରୀମାନେ ଠିକାଦାରମାନଙ୍କୁ ବୁଝାଇବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ଶେଷରେ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ କାର୍ଯ୍ୟାନୁଷ୍ଠାନ ନେଇ ଅଧୀକ୍ଷଣ ଯନ୍ତ୍ରୀ ମଲ୍ଲିକଙ୍କୁ ନିଲମ୍ବନ କରିଛନ୍ତି।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ