ବୋଲଗଡ଼, ୧୮।୧୦:ବୋଲଗଡ଼ ଶିକ୍ଷା ବ୍ଳକ ଅନ୍ତର୍ଗତ ଅସରଳା ସ୍ଥିତ ହରିହର ବିଦ୍ୟାପୀଠର ଆଦର୍ଶ ପ୍ରଧାନଶିକ୍ଷକ କ୍ଷେତ୍ରମୋହନ ରଣାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ସମାଜସେବୀ ରାଧାକାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବରାଡ,ସୁବଳ ଜେନା,ସୁବଳ ଛୁଆଳ ସିଂହ, ହରିହର ତ୍ରିପାଠୀ, ଶିକପ୍ରସନ୍ନ କୁମାର ରଥ,ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା, ପୂର୍ବତନ ସମିତି ଉପାଧ୍ୟକ୍ଷ ଦୁର୍ଯୋଧନ ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ ଫକୀର ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ବଳିୟାର ସିଂହ ପ୍ରମୁଖ ଯୋଗଦାନ କରିଥିଲେ। ଅତିଥି ମାନଙ୍କୁ ସ୍ଵାଗତ ପରେ ଛାତ୍ରୀ ମାନେ ବିଦାୟୀ କାଳୀନ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ମହାପୁରୁଷ ଉତ୍କଳମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସ ଓ ବିଦ୍ୟାଳୟ ତରଫରୁ ପ୍ରତିଷ୍ଠା କରାଯାଇ ଅତିଥି ମାନଙ୍କ ଦ୍ଵାରା ଅନାବରଣ କରାଯାଇଥିଲା।

ଅବସରକାଳୀନ ସଭାରେ ଅତିଥି ମାନେ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଣାଙ୍କ ଗୁଣଗାନ କରିଥିଲେ। ବିଧାୟକ ଶ୍ରୀ ସାହୁ ଶିକ୍ଷକ, ବିଦ୍ୟାଳୟ ଓ ଛାତ୍ର ଛାତ୍ରୀ ମାନେ ଏ ଦେଶର ପ୍ରଗତିରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ଅବସର ଗ୍ରହଣ କରିବା ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ପ୍ରତିମୂର୍ତ୍ତି ସ୍ଥାପନ ରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ସ୍ବରଚିତ କବିତା ମାଧ୍ୟମରେ ବିଦାୟୀ ପ୍ରଧାନଶିକ୍ଷକଙ୍କ ଗୁଣଗାନ କରିଥିଲେ।

ଛାତ୍ର ଛାତ୍ରୀ ମାନେ ନିଜ ଗୁରୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ଗ୍ରାମବାସୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ଛା ତ୍ର ଛାତ୍ରୀ, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାନପତ୍ର, ଉତ୍ତରୀୟ, ଶୀତବସ୍ତ୍ର , ଭଗବତ୍ ଗୀତା ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରି ଅବସର ଜୀବନ ସୁଖମୟ ହେବା ପାଇଁ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ଭାଗବତ ପ୍ରସାଦ ପାଣ୍ଡେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କଲ୍ୟାଣୀ ସାମନ୍ତସିଂହାର
ବୋଲଗଡ ପ୍ରତିନିଧି