ରେଳବାଇରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ତ୍ୱରିତ ଉଦ୍ଧାର କାର୍ଯ୍ୟ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ୍ ଅନ୍ତର୍ଗତ ବନ୍ଧମୁଣ୍ଡା ୟାର୍ଡ ଠାରେ ଏକ ମିଳିତ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅଭ୍ୟାସରେ ପାଟନାରୁ ଆସିଥିବା ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍ଡିଆର୍ଏଫ୍), ସିଭିଲ୍ ଡିଫେନ୍ସ, ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ରେଳବାଇ ମେଡିକାଲ୍ ଟିମ୍ ଏବଂ ଅନ୍ୟ ରେଳ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

ଏଥିରେ ରିଲିଫ୍ ଭ୍ୟାନ୍ ବ୍ୟବସ୍ଥା ମଧ୍ୟ ସାମିଲ ଥିଲା। ମକ୍ ଡ୍ରିଲ୍ରେ ଉଦ୍ଧାର କାର୍ଯ୍ୟ, ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ପ୍ରାଥମିକ ଚିକିତ୍ସା ଓ ଜରୁରୀକାଳୀନ ସହାୟତା ଭଳି ବିଭିନ୍ନ ଦିଗ ଉପରେ ଅଭ୍ୟାସ କରାଯାଇଥିଲା। ଏହି ଅଭ୍ୟାସ (ମକ ଡ୍ରିଲ)ରେ ଚକ୍ରଧରପୁର ଡିଭିଜନ୍ର ଡିଭିଜନାଲ୍ ରେଳ ପ୍ରବନ୍ଧକ (ଡିଆର୍ଏମ୍), ବରିଷ୍ଠ ଡିଭିଜନାଲ୍ ସୁରକ୍ଷା ଅଧିକାରୀ (ସିନିୟର୍ ଡିଏସ୍ଓ), ଏଆର୍ଏମ୍ଙ୍କ ସମେତ ଅନ୍ୟ ରେଳବାଇ ଅଧିକାରୀମାନେ ଉପସ୍ଥିତ ଥିଲେ। ରେଳ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଆକସ୍ମିକ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟକୁ ଅଧିକ ଦକ୍ଷ, ସମନ୍ୱିତ ଓ ପ୍ରଭାବଶାଳୀ କରିବା ସହ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏଭଳି ମକ୍ ଡ୍ରିଲ୍ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।