ରାଜ୍ୟସ୍ତରୀୟ ୧୨୧ ତମ ସତ୍ୟପ୍ରିୟ ମହାନ୍ତି ଜୟନ୍ତୀ ପାଳିତ


ବାଲିଅନ୍ତା,୨୧|୧୦(ଗୋବର୍ଦ୍ଧନ ଦାସ): ଜଣେ ସମର୍ପିତ ମଣିଷ ଏବଂ ନବ ଓଡିଶା ନିର୍ମାତାର ଅନ୍ୟତମ ବିନ୍ଧାଣି ଥିଲେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି । ଆଜି ପବିତ୍ର ବିଜୟାଦଶମୀ ତିଥିରେ ରାଜ୍ୟସ୍ତରୀୟ ସତ୍ୟପ୍ରୀୟ ସ୍ମୃତି କମିଟି ଆନୁକୂଲ୍ୟରେ ଓଡିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଆଧ୍ୟାତ୍ମିକବାଦୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତିଙ୍କ ୧୨୧ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ I ବାଳକାଟି ବଜାର ନୂତନ ମାର୍କେଟ କମ୍ପ୍ଲେକ୍ସ ପରିସରରେ ସ୍ମୃତିକମିଟିର ସଭାପତି ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ତଥା ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ଐତିହାସିକ ତଥା ଗବେଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, ବରିଷ୍ଠ ବିଜେପି ନେତା ସମିର ମହାନ୍ତି, ଭୁବନେଶ୍ୱର ବାର ଆସୋସିଏସନର ସଭାପତି ଅଶୋକ ଛୋଟରାୟ, ଯୁବନେତା କ୍ୟାପଟେନ ମନ୍ମଥ ରାଉତରାୟ, କମିଟିର ସ୍ଥାୟୀ ସଦସ୍ୟ ତଥା ସ୍ୱର୍ଗତଃ ମହାନ୍ତିଙ୍କ ସୁପୁତ୍ର ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଭୁବନେଶ୍ଵର ଗଠନ କରିବାରେ ସତ୍ୟପ୍ରିୟଙ୍କ ଭୂମିକା ଥିଲା ଅତୁଳନୀୟ । ମନ୍ତ୍ରୀ ଥିବା ସମୟରେ ବିଭିନ୍ନ ଆଇନ୍ ପ୍ରଣୟନ କରି ଉଚ୍ଚପ୍ରଶଂସିତ ହୋଇଥିଲେ । ତାଙ୍କ ଦ୍ବାରା ପ୍ରଣୀତ ଓଡିଶାରେ ଦେବୋତ୍ତର ଆଇନ୍ ମୁଖ୍ୟତଃ ଶ୍ରୀ ଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା ଆଇନ୍, ଭୁ-ସଂସ୍କାର ଏବଂ ଶିକ୍ଷା ଆଇନ୍ ଅଦ୍ୟାବଧୂ କାର୍ଯ୍ୟକାରୀ ହେଉଛି ବୋଲି ଯୋଗଦେଇଥିବା ବକ୍ତାମାନେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସତ୍ୟପ୍ରିୟଙ୍କ ଜୀବନୀ ଉପରେ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା l ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ସ୍ମୃତି କମିଟି ପକ୍ଷରୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ପରେ ସ୍ବର୍ଗତଃ ମହାନ୍ତିଙ୍କ ଜନ୍ମମାଟି ବସନ୍ତପେଡି ଗ୍ରାମରୁ ପାଇକଆଖଡ଼ା, ଦୂଲଦୁଲି, ଘଣ୍ଟଘଣ୍ଟା ଆଦି ଏକ ଶୋଭାଯାତ୍ରାରେ ବାହାରି ବାଳକାଟି ନୂତନ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ସତ୍ୟପ୍ରିୟ ମହାନ୍ତିଙ୍କ ପ୍ରତିମୂର୍ତିରେ ନିମନ୍ତ୍ରିତ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବେଣୁଧର ଭୋଇ, ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ଆଇନୀଜୀବୀ ଉପେନ୍ଦ୍ର ସାମନ୍ତରାୟ, ରବୀନ୍ଦ୍ର ବାରିକ, ମାଗୁଣି ଚରଣ ସେଠି, ଯୁବନେତା ଅରବିନ୍ଦ ସାହୁ, ରବି ନାରାୟଣ ପାତ୍ର, ନାରାୟଣ ସାହୁ, ମନୋଜ ନାୟକ, ଅରୁଣ କୁମାର ମହାନ୍ତି, ବଙ୍କିମ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସ୍ୱର୍ଗତଃ ମହାନ୍ତିଙ୍କ ନାତୀ ତଥା ବିଶିଷ୍ଟ ସମାଜସେବୀ ସୁବ୍ରତ କୁମାର ମହାନ୍ତି (ଦିପୁ ) କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୫ ଜଣ ପ୍ରତିଭାଙ୍କୁ ‘ସତ୍ୟପ୍ରିୟ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page