ଭୁବନେଶ୍ୱର, ୧୯.୩ : ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ଗୁରୁବାର ପୂର୍ବାହ୍ନରେ ଚନ୍ଦ୍ରଶେଖରପୁର, ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆ•ର୍ଯ୍ୟ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ବୈଦିକ ଶାନ୍ତିଯଜ୍ଞ ପରେ ଆଜି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ଡଃ ଜ୍ଞାନେନ୍ଦ୍ର କହିଲେ ଯେ, ଆଜି ଦିବସଟି ବିଭିନ୍ନ ଦୃଷ୍ଟିକୋଣରୁ ପବିତ୍ର । ଆଜକୁ ୧,୯୬,୦୮,୫୩,୧୨୬ ବର୍ଷ ତଳେ ସୃଷ୍ଟିର ପ୍ରାରମ୍ଭ ହୋଇଥିଲା ବୋଲି ସନାତନୀ ଗଣିତଜ୍ଞମାନଙ୍କର ମତ । ସେହିପରି ଆଜି କଳିଯୁଗ ବର୍ତ୍ତମାନ ସୁଦ୍ଧା ୫୧୨୮ ବର୍ଷ ଭୋଗ କରିଥିବା ବେଳେ, ବିକ୍ରମାଦିତ୍ୟଙ୍କ ଶାସନ କାଳରେ ପ୍ରଚଳିତ ଅବ୍ଦ ଅନୁସାରେ ଆଜି ୨୦୮୩ ବିକ୍ରମ ସମ୍ବତ୍ସର । ଆଜିର ଦିନରେ ମହାରାଜା ଯୁଧିଷ୍ଠିରଙ୍କର ଓ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ହୋଇଥିଲା । ଏହି ଅବସରରେ ଆଜିର ଦିନକୁ ସ୍ମରଣ କରି ରଖିବା ପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରତି ସମର୍ପିତ ପ୍ରାଣ, ଭୁବନେଶ୍ୱର ଚିତ୍ରକୂଟ ଆଶ୍ରମର ବରେଣ୍ୟ ସଞ୍ଚାଳକ ନିରଞ୍ଜନ ପାଢୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି, ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ନ୍ୟାସର ମ୍ୟାନେଜିଙ୍ଗ ଟ୍ରଷ୍ଟି, ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ଭାରତବର୍ଷରେ ମହର୍ଷି ଦୟାନନ୍ଦ ଯେଉଁ ସାମାଜିକ ଓ ଧାର୍ମିକ ଆନେ୍ଦାଳନ ଆରମ୍ଭ କରିଥିଲେ, ତା ଭିତରୁ ହିଁ ଆର୍ଯ୍ୟସମାଜର ସୃଷ୍ଟି । ଭାରତର୍ଷର ସ୍ୱାଧୀନତା ସଂଗ୍ରାମରେ ଆର୍ଯ୍ୟସମାଜର ଅବଦାନକୁ କୌଣସି ପରିସ୍ଥିତିରେ ଗୌଣ କରାଯାଇ ପାରିବ ନାହିଁ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ପ୍ରଫେସର ଡଃ ଯୁଧିଷ୍ଠିର ଖଟୁଆ କହିଲେ ଯେ, ସମାଜରୁ ଜାତିପ୍ରଥା ଓ କୁସଂସ୍କାର ବିରୋଧରେ ଭାରତବର୍ଷରେ ଆରମ୍ଭ ହୋଇଥିବା ଆନେ୍ଦାଳନର ନେତୃତ୍ୱ ଆର୍ଯ୍ୟସମାଜ ହିଁ ନେଇଥିଲା । ଏହି ଗୌରବମୟ ଇତିହାସକୁ ଆଜିର ଯୁବବିଢି ଅଧ୍ୟୟନ କରିବା ଉଚିତ୍ । କାର୍ଯ୍ୟକ୍ରମରେ ବିଧାନ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ଓ ନଳିନୀକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
(ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର)
ମୋ : ୯୩୩୭୧୧୭୪୨୯