ଥନଟ ଗ୍ରାମର ମୌଳିକ ସମସ୍ୟା ସମାଧାନ ଦାବି


ପିଚୁ ରାସ୍ତା, ବିଶୁଦ୍ଧ ପାନୀୟଜଳ ଓ ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ଗ୍ରାମବାସୀଙ୍କ ଦାବି; ଦାବି ପୂରଣ ନହେଲେ ଆନ୍ଦୋଳନ ଓ ଭୋଟ ବର୍ଜନ ଚେତାବନୀ
ଧର୍ମଗଡ଼:7/9/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଦୀର୍ଘଦିନ ଧରି ମୌଳିକ ସୁବିଧାରୁ ବଞ୍ଚିତ ଥନଟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାମର ପ୍ରମୁଖ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଦାବି ନେଇ ମାଉସୀ ମା’ ମନ୍ଦିର ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବିଡିଓ ସଦାଶିବ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମବାସୀ ଯୋଗଦେଇ ନିଜ ନିଜ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ। ବିଶେଷ କରି ଗ୍ରାମର ପ୍ରତ୍ୟେକ ଗଳିରେ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଡ୍ରେନ୍‌ ବ୍ୟବସ୍ଥା ସହ ଥନଟରୁ କେବିଡି ପର୍ଯ୍ୟନ୍ତ ଆରଡି ବିଭାଗ ଅଧୀନରେ ପିଚୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଥିଲେ। ରାସ୍ତା ଓ ପାନୀୟଜଳ ଭଳି ମୌଳିକ ସମସ୍ୟା ଯୋଗୁଁ ଗ୍ରାମବାସୀ ବିଭିନ୍ନ ସମୟରେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି।
ବୈଠକରେ ସ୍ଥାନୀୟ ସରପଞ୍ଚ ମନୋଜ ନାଏକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହେମରାଜ ନାଏକ, ବିଭିନ୍ନ ବିଭାଗର ଯନ୍ତ୍ରୀ, ସାମ୍ବାଦିକ ପ୍ରମୋଦ କୁମାର ପଣ୍ଡା, ଗ୍ରାମର ଗୌନ୍ତିଆ ଅଶ୍ୱିନ ନାଏକ, ସମାଜସେବୀ ସାରଦା ପଣ୍ଡା, ଯୁବବାହିନୀ ସଦସ୍ୟ ଉମାକାନ୍ତ ସୁନାନୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ସମୟରେ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଓ ବ୍ଲକ ଗ୍ରାଣ୍ଟରୁ ୫ ଲକ୍ଷ ଟଙ୍କା ବ୍ୟୟରେ ସିସି ରୋଡ୍‌ ମରାମତି ପାଇଁ ହୋଇଥିବା ପ୍ରସ୍ତାବକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଗ୍ରାମବାସୀଙ୍କ ମତରେ, ମାତ୍ର ସିସି ରୋଡ୍‌ ମରାମତି କରିବା ପରିବର୍ତ୍ତେ ଥନଟରୁ କେବିଡି ପର୍ଯ୍ୟନ୍ତ ଦୀର୍ଘଦିନର ଆବଶ୍ୟକତା ଥିବା ଆରଡି ପିଚୁ ରାସ୍ତା ନିର୍ମାଣ କରାଯିବା ଆବଶ୍ୟକ। ଗ୍ରାମବାସୀଙ୍କ କହିବା ଅନୁସାରେ, ଗ୍ରାମର ବିକାଶ ପାଇଁ ଏହି ସମସ୍ୟାଗୁଡ଼ିକ ଆଉ ଅବହେଳା କରାଯିବା ଉଚିତ ନୁହେଁ। ପ୍ରଶାସନ ତୁରନ୍ତ ଦାବିଗୁଡ଼ିକ ଉପରେ ପଦକ୍ଷେପ ନେଇ ସମାଧାନ କରୁ ବୋଲି ସେମାନେ ଦାବି କରିଛନ୍ତି। ତେବେ ଦାବିଗୁଡ଼ିକର ସମାଧାନ ନହେଲେ ଆଗାମୀ ଦିନରେ ଗ୍ରାମବାସୀ ଏକଜୁଟ ହୋଇ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି। ଏପରିକି ଦାବି ପୂରଣ ନହେଲେ ଭୋଟ ବର୍ଜନ ଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ଥନଟ ଗ୍ରାମରେ ଅସନ୍ତୋଷ ତୀବ୍ର ହେବା ସହ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page