ରାସ୍ତାର ଉଭୟ ପାର୍ଶ୍ୱରେ ଦେଢ଼ ମିଟର ପେଭର ବ୍ଲକ ଏବଂ ୧ ମିଟର ଲେଖାଏଁ ଡ୍ରେନ
ବାଲିଅନ୍ତା,୧୨|୪(Gobardhan Behera): ସରଦେଇପୁର ପୂର୍ତ୍ତ ବିଭାଗ ଅଧିନ ଉତ୍ତରା ରୁ ଦୁଲ୍ଲାଦେବୀ ମନ୍ଦିର , ମଞ୍ଜରୀଦେଵୀ କଲେଜ ଠାରୁ ବୁଧିପଡ଼ା ଏବଂ ବାଲିପାଟଣା ବଜାରରୁ ନିମାପଡା ପର୍ଯ୍ୟନ୍ତ ଦୋହରୀକରଣ ରାସ୍ତା ଚଳିତ ମାସ ଶେଷ ସୁଧା କିମ୍ବା ଆସନ୍ତା ମେ ମାସରୁ ଆରମ୍ଭ ହେବ l ଏଥିପାଇଁ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୩ କୋଟି ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଛି l ଏଥିରେ ୨ ଟି ଟେଣ୍ଡର ପ୍ରକ୍ରିୟାରେ ୨ ଟି ଠିକାସଂସ୍ଥା କାମ କରିବେ l ଉତ୍ତରା ରୁ ବାଳକାଟି ବଜାର, ଦୁଲ୍ଲାଦେଵୀ ମନ୍ଦିର ପ୍ରାୟ ୩ କିମି ରାସ୍ତା ଏବଂ ମଞ୍ଜରୀଦେବୀ କଲେଜ ଠାରୁ ବୁଧିପଡ଼ା ବଜାର ଶେଷ ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତା ନିମନ୍ତେ ୭ କୋଟି ଟଙ୍କାର କାମ ବିଚିତ୍ର ସାମନ୍ତରାୟ ନାମକ ଏକ ଠିକାସଂସ୍ଥା ନେଇଥିବା ବେଳେ ବାଲିପାଟଣାରୁ ନିମାପଡା ପର୍ଯ୍ୟନ୍ତ ପ୍ରାୟ ୧୩ କିମି ରାସ୍ତା ନିମନ୍ତେ ୧୬ କୋଟି ଟଙ୍କାର କାମ ସ୍ପାନ ନାମକ ଏକ ଠିକାସଂସ୍ଥା ନେଇଛନ୍ତି l ଏହି କାମ ନିମନ୍ତେ ଅନେକ ଠିକାଦାର ଟେଣ୍ଡର ପକାଇଥିବା ବେଳେ ସମ୍ପୃକ୍ତ ୨ ଜଣଙ୍କ ନାମ ଉଠିଥିଲା l ଉଭୟ ଠିକାସଂସ୍ଥା ସେମାନଙ୍କ କାଗଜପତ୍ର ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପୈଠ କରିବା ସହ ଚୁକ୍ତିନାମା କରିବାପରେ ରାସ୍ତା କାମ ଆରମ୍ଭ ହେବ l ଏସବୁ କାମ ଶେଷ ହେବା ପାଇଁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଲାଗିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି l କାଗଜପତ୍ର କାମ ଶେଷ ପରେ ପ୍ରାୟ ମେ ମାସ ପ୍ରଥମ ସପ୍ତାହକୁ ଏହି ରାସ୍ତା କାମ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି l ଏହି କାମ ସମୟରେ ଉତ୍ତରା ଛକ ବୁଲାଣି ଠାରୁ ଜବର ଦଖଲ ଉଛେଦ କରାଯିବ ବୋଲି ବିଭାଗ କହିଛି l ସେଥିପାଇଁ ମାପଚୁପ କରି ସେମାନଙ୍କୁ ଏକ ନୋଟିସ ଦିଆଯିବ l ସେହିପରି ଭାର୍ଗବୀ ସେତୁ ଠାରୁ ଦୁଲ୍ଲାଦେବୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ୭ ମିଟର ଥିବାବେଳେ ଏହାକୁ ବୃଦ୍ଧି କରାଯାଇ ୧0 ମିଟର ପିଚୁ ନିର୍ମାଣ କରାଯିବ l ଏଥିସହ କେବଳ ବାଳକାଟି ବଜାର ରାସ୍ତାର ଉଭୟ ପାର୍ଶ୍ୱରେ ଦେଢ଼ ମିଟର ଲେଖାଏଁ ପେଭର ବ୍ଲକ ପକାଯିବ l ସେହିପରି ବର୍ଷାଜଳ ନିଷ୍କାସନ ନିମନ୍ତେ ବର୍ତମାନ ଥିବା ଡ୍ରେନକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ରାସ୍ତାର ଉଭୟ ପାର୍ଶ୍ୱରେ ୧ ମିଟର ଲେଖାଏଁ ନୂତନ ଡ୍ରେନ ନିର୍ମାଣ କରାଯିବ ବୋଲି ବ୍ୟୟ ଅଟ୍ଟକଳ କରାଯାଇଛି l ଉକ୍ତ ଡ୍ରେନ ନିର୍ମାଣ କରାଯାଇ ପୁରୀ ମୁଖ୍ୟକେନାଲ ନିକଟରେ ଡ୍ରେନରେ ଛଡ଼ାଯିବ l ପରେ କେନାଲ ଅପରପାର୍ଶ୍ୱରୁ ଡ୍ରେନ ନିର୍ମାଣ କରାଯାଇ ବର୍ଷାଜଳ ଧନୁଆଁ ନାଳରେ ନିଷ୍କାସିତ କରାଯିବ l ବାଳକାଟି ବଜାର ମୋଟ ୧୫ ମିଟର ଚଉଡା ହେବ l ଏହି ରାସ୍ତା ଚଉଡା ନିମନ୍ତେ ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ବାଳକାଟି ବଜାରରୁ ଦୋକାନ ଭଙ୍ଗାଯାଇଛି l ଏହାପରେ ବିଦ୍ୟୁତ ଖୁଣ୍ଟ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ l ଏହିଭଳି ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଶେଷ ହେବାପରେ ଏହି ରାସ୍ତା କାମ ଶେଷ ହେବାପାଇଁ ପ୍ରାୟ ବର୍ଷେ ରୁ ଦେଢ଼ ବର୍ଷ ଲାଗିବ ବୋଲି ଅନୁମାନ କରିଛି ବିଭାଗ l ପ୍ରକାଶଥାଉକି ଗତ ୩ ବର୍ଷ ତଳେ ଦୁଲ୍ଲାଦେବୀ ମନ୍ଦିର ଠାରୁ ମଞ୍ଜରୀଦେବୀ କଲେଜ, ବୁଧିପଡ଼ା ଠାରୁ ଶିଶିଲୋ, ବିଶ୍ୱନାଥପୁର, ବାଲିପାଟଣା ପର୍ଯ୍ୟନ୍ତ ୪0 କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ୪ ଥାକିଆ କରାଯାଉଛି l ଉକ୍ତ ରାସ୍ତା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ବାକି ରହିଥିବା ଅନ୍ୟ ରାସ୍ତା ଗୁଡିକ ଆବଶ୍ୟକତା ଦୃଷ୍ଟିରୁ ଦୋହରୀ କରଣ କରାଯିବାକୁ ସ୍ଥିର କରିଥିଲା ପୂର୍ତ୍ତ ବିଭାଗ l
Report: Gobardhan Behera, Utkalbulletin