ଖୋର୍ଦ୍ଧା, ୧୧।୧୦, ବାଣପୁର ମା’ ଭଗବତୀଙ୍କ ଶାରଦୀୟ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପ୍ରସିଦ୍ଧ ଭେଟଯାତ୍ରା। ଆଶ୍ୱିନ ଅମାବାସ୍ୟାକୁ ଭେଟ ଅମାବାସ୍ୟା ବୋଲି କୁହାଯାଏ।
ମା’ ଭଗବତୀ ଓ ମା’ ବିରଜାଈଙ୍କ ପବିତ୍ର ମିଳନ ପରେ ପର୍ବ ସମାପନ କରି ମା’ ଭଗବତୀ ବାହାର ପର୍ବ ପାଇଁ ସାତବଖରା ଘରକୁ ବିଜେ କରନ୍ତି। ମା’ ଭଗବତୀ ଓ ମା’ ବିରଜାଈଙ୍କ ସହିତ ଛଅ ଭଉଣୀଙ୍କୁ ହାକରି ନେଇ ଏକତ୍ର ପର୍ବ ପାଳନ କରିବାର ଏହି ସ୍ୱତନ୍ତ୍ର ପରମ୍ପରା କାହିଁ କେଉଁ କାଳରୁ ଚଳିଆସୁଛି। ଏହି ଭେଟଯାତ୍ରା ବାଣପୁରର ସମୃଦ୍ଧ ଧାର୍ମିକ ପରମ୍ପରା, ଲୋକବିଶ୍ୱାସ ଓ ଆଧ୍ୟାତ୍ମିକ ଐତିହ୍ୟର ଏକ ଅନନ୍ୟ ପ୍ରତୀକ।

ଏହି ଦିବ୍ୟ ଉତ୍ସବ ଭକ୍ତମାନଙ୍କ ମନରେ ଅସୀମ ଶ୍ରଦ୍ଧା, ଭକ୍ତି, ସମର୍ପଣ ଓ ଆସ୍ଥାର ସଞ୍ଚାର କରିବା ସହ ଆମ ସାଂସ୍କୃତିକ ପରମ୍ପରାକୁ ଆହୁରି ସମୃଦ୍ଧ କରିଥାଏ। ଏହି ପ୍ରସିଦ୍ଧ ଭେଟଯାତ୍ରାରେ ଚିଲିକା ବିଧାୟକ ତଥା ଆଇନ୍ , ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ, ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ବିଜେପି ଯୁବ ସଙ୍ଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବାଣପୁର ପ୍ରଶାସନର ଅଧିକାରୀ, ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା ଓ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ପ୍ରଶାସନ ଓ ପୁଲିସର ତତ୍ତ୍ୱାବଧାନରେ ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇଥିଲା।

ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି ,ଖୋର୍ଦ୍ଧା