ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା

ମାଣିକାଗୋଡ଼ା, ଖୋର୍ଦ୍ଧା: ଧର୍ମ ଅଲଗା, କିନ୍ତୁ ହୃଦୟ ଏକ। ହିନ୍ଦୁ-ମୁସଲିମ୍ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ମାଣିକାଗୋଡ଼ା ଗ୍ରାମ। ଏଠାରେ ଦଶହରା ପର୍ବ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଶତାବ୍ଦୀ ଧରି ଚାଲିଆସୁଥିବା ହିନ୍ଦୁ-ମୁସଲିମ୍ ଏକତାର ଜୀବନ୍ତ ପ୍ରତୀକ। ଏହି ନିଆରା ପରମ୍ପରାର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି, ମାଆ ଦୁର୍ଗାଙ୍କ ଦଶହରା ପର୍ବରେ ମୁସଲିମ୍ ସମ୍ପ୍ରଦାୟର ଦଳବେହେରା ମୁଖ୍ୟ ପୁରୋଧା ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ବିଶେଷକରି ବିଜୟା ଦଶମୀରେ ଅପରାଜିତା ପୂଜା ଓ ହୋମରେ ଦଳବେହେରାଙ୍କ ଭୂମିକା ଏହି ପରମ୍ପରାକୁ ଆହୁରି ସ୍ୱତନ୍ତ୍ର କରିଥାଏ। ସ୍ଥାନୀୟ ପରମ୍ପରା ଅନୁଯାୟୀ, ଏହି ଅନନ୍ୟ ଉତ୍ସବର ଇତିହାସ ଅନେକ ଶତାବ୍ଦୀ ପୁରୁଣା। ପିଢ଼ି ପରେ ପିଢ଼ି ଧରି ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଉଭୟ ସମ୍ପ୍ରଦାୟର ଲୋକେ। ପୂଜାପର୍ବରେ ହିନ୍ଦୁ ଓ ମୁସଲିମ୍ ଏକାଠି ହୋଇ ସହଯୋଗ କରିବା ସହ ଗ୍ରାମର ଐତିହ୍ୟ ଓ ସଂସ୍କୃତିକୁ ଆଗକୁ ବଢ଼ାଉଛନ୍ତି।ମାଣିକାଗୋଡ଼ାର ଏହି ପରମ୍ପରା ଆଜିର ସମାଜକୁ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି—ଧର୍ମ ମଣିଷକୁ ଅଲଗା କରିପାରେ, କିନ୍ତୁ ମାନବିକତା, ପରସ୍ପର ସମ୍ମାନ ଓ ଭାଇଚାରା ସମସ୍ତଙ୍କୁ ଏକାଠି ବାନ୍ଧି ରଖିପାରେ। ମାଣିକାଗୋଡ଼ାର ଦଶହରା କେବଳ ପର୍ବ ନୁହେଁ, ଏହା ହେଉଛି ଏକତା, ସହାବସ୍ଥାନ ଓ ଓଡ଼ିଆ ସଂସ୍କୃତିର ଗୌରବମୟ ପରିଚୟ। ଅଖିଳ ସୁନ୍ଦରାୟଙ୍କ ରିପୋର୍ଟ , UTKALBULLETIN

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page