ଏକାମ୍ର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଧଉଳିର ଐତିହ୍ୟ ଅନୁସନ୍ଧାନ: ଏକ ଶୈକ୍ଷିକ ପରିଦର୍ଶନ


ବାଲିଅନ୍ତା, ଅଦ୍ୟ ତା-୧୦ ମେ ୨୦୨୬: ରିଖ ଦିନ ଜାତୀୟ ଶିକ୍ଷାନୀତି (NEP-2020) ର ଲକ୍ଷ୍ୟ ଅନୁଯାୟୀ, ଶିକ୍ଷାକୁ କେବଳ ଶ୍ରେଣୀ ଗୃହ ମଧ୍ୟରେ ସୀମିତ ନ ରଖି ବାସ୍ତବ ଅଭିଜ୍ଞତା ମାଧ୍ୟମରେ ସମୃଦ୍ଧ କରିବା ପାଇଁ ଏକାମ୍ର ମହାବିଦ୍ୟାଳୟ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଦ୍ୱିତୀୟ ବର୍ଷ ତଥା ଚତୁର୍ଥ ସେମିଷ୍ଟରର ଛାତ୍ରଛାତ୍ରୀମାନେ ଗୋଷ୍ଠୀ ସହଭାଗିତା ଭିତ୍ତିରେ ଐତିହାସିକ ସ୍ଥଳୀ ଧଉଳି ପରିଦର୍ଶନ କରି ଓଡ଼ିଶାର ଗୌରବମୟ ଇତିହାସ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ଏହି ଶୈକ୍ଷିକ ଯାତ୍ରାରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଶାନ୍ତ କୁମାର ସେଠୀ, ବରିଷ୍ଠ ଅଧ୍ୟାପକ ଡକ୍ଟର ଅରବିନ୍ଦ ପ୍ରଧାନ, ଅଧ୍ୟାପିକା ଲୋଚନ ଖଣ୍ଡାଇ ଏବଂ ଅଧ୍ୟାପକ ମୋହନ କୁମାର ବଡମୁଣ୍ଡି ପ୍ରମୁଖ ତତ୍ତ୍ୱାବଧାନ କରିଥିଲେ। ଅଧ୍ୟାପକମାନେ ଧଉଳି ଶାନ୍ତି ସ୍ତୂପର ମହତ୍ତ୍ୱ ସହିତ ଅଶୋକଙ୍କ ଶିଳାଲେଖ ଓ ହାତୀଗୁମ୍ଫା ଶିଳାଲେଖର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବିଶେଷ କରି ପ୍ରାଚୀନ ଓଡ଼ିଆ କଳା, ସ୍ଥାପତ୍ୟ ଏବଂ ଶିଳାଲେଖରେ ଖୋଦିତ ଭାଷାର ବିବର୍ତ୍ତନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଧଉଳି ପଞ୍ଚାୟତର ସରପଞ୍ଚ ଶ୍ରୀ ଚନ୍ଦନ ମଲ୍ଲିକ ଏବଂ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟବତ୍ର ସାମନ୍ତରାୟ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସ୍ଥାନୀୟ ଅଞ୍ଚଳର ସୁରକ୍ଷା ଓ ଇତିହାସ ବିଷୟରେ ସଂକ୍ଷେପରେ ଆଲୋକପାତ କରିଥିଲେ। ପରିଦର୍ଶନ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା। ଶିକ୍ଷାଦାନର ଏହି ଅଭିନବ ଶୈଳୀ ଦ୍ୱାରା ପିଲାମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ନିକଟରୁ ଦେଖିବାର ସୁଯୋଗ ପାଇଥିଲେ। ପାଠ୍ୟପୁସ୍ତକର ଜ୍ଞାନକୁ ପ୍ରାୟୋଗିକ କ୍ଷେତ୍ରରେ ପରଖିବାର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉନ୍ମାଦନା ସୃଷ୍ଟି କରିଛି। ଏହି ପରିଦର୍ଶନ କେବଳ ଏକ ଭ୍ରମଣ ନ ହୋଇ ଓଡ଼ିଶାର ଅସ୍ମିତାକୁ ବୁଝିବାର ଏକ ମାଧ୍ୟମ ସାଜିଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page