ଡବଲ୍ ଟ୍ୟାକ୍ସେସନ୍ ବନ୍ଦ ହେବା ଉଚିତ୍: ଆମେ ଭୁବନେଶ୍ୱରିଆ ସଂଗଠନ ୨୦୦୦ ସମର୍ଥନ ଦସ୍ତଖତ ପ୍ରଦାନ କରି ୟୁଜର ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଦାବି l

ପ୍ରେସ୍ ରିଲିଜ୍

ଭୁବନେଶ୍ୱର, ୭ ମଇ ୨୦୨୬ – ଆମେ ଭୁବନେଶ୍ୱରିଆ ସଂଗଠନ (ଭୁବନେଶ୍ୱର ଉନ୍ନୟନ ପରିଷଦ ଓ ଜନ ଜାଗରଣ)ର ଏକ ଶକ୍ତିଶାଳୀ ପ୍ରତିନିଧି ମଣ୍ଡଳୀ ଆଜି ବିଏମ୍‌ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କୁ ଭେଟି ଅବୈଧ ୟୁଜର ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଦୃଢ଼ ଦାବି କରିଛନ୍ତି। ପୂର୍ବତନ ମୁଖ୍ୟ ସଚିବ ତଥା କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ, ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ, ସୂଚନା ଅଧିକାର ଅଭିଯାନ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ସଂଯୋଜକ ପ୍ରସନ୍ନ ବିଷୋୟୀ, ସଂଜୟ ଦାସ, ତପନ ମହାନ୍ତି, ଅଶୋକ ପାଇକରାୟଙ୍କ ସହ ଏକ ୨୫ ଜଣିଆ ପ୍ରତିନିଧିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ବିଏମ୍‌ସି କମିଶନରଙ୍କ ସହ ଆଲୋଚନା କରିଥିଲେ। ପ୍ରତିନିଧି ମଣ୍ଡଳୀ ନଗରବାସୀଙ୍କ ତରଫରୁ ବିଭିର୍ଣ୍ଣ ପାର୍କ, କଲୋନୀ ଓ ଆପାର୍ଟମେଣ୍ଟରେ ହୋଇଥିବା ପ୍ରାୟ ୨୦୦୦ରୁ ଅଧିକ ସମର୍ଥନ ଦସ୍ତଖତ ପ୍ରଦାନ କରିଥିଲେ ଏବଂ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ରହିତାଦେଶ ନିର୍ଦେଶ ତଥ୍ୟ ପ୍ରଦାନ କରିବା ସହିତ, କିପରି ଷ୍ଟେ ସତ୍ୱେ ବିଏମ୍‌ସି ଦ୍ୱାରା ହେଉଥିବା ଅବୈଧ ୟୁଜର ଫି ଆଦାୟକୁ ନେଇ ଏକ ସ୍ପଷ୍ଟ ଦଲିଲ ଦାଖଲ କରିଥିଲେ। କମିଟିର ଅଧକ୍ଷ୍ୟ ବିଜୟ ପଟ୍ଟନାୟକ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ ନିକଟରେ ରଖାଯାଇଥିବା ମୂଖ୍ୟ ଦାବିଗୁଡ଼ିକ:

  • ହାଇକୋର୍ଟର ଅନ୍ତିମ ରାୟ ନ ଆସିପର୍ଯ୍ୟନ୍ତ ୟୁଜର ଫି ଆଦାୟ ସମ୍ପୂର୍ଣ୍ଣ ଭାବେ ତୁରନ୍ତ ବନ୍ଦ କରିବା।
  • ହୋଲଡିଂ ଟ୍ୟାକ୍ସ ଦେଉଥିବା ସମସ୍ତ ନାଗରିକଙ୍କୁ ୟୁଜର ଫି ରୁ ମୁକ୍ତି ଦେବା (ଏହା ଡବଲ୍ ଟ୍ୟାକ୍ସେସନ୍ ଅଟେ)।
  • ହାଇକୋର୍ଟରେ ବିଏମ୍‌ସି ଓ ନଗର ଉନ୍ନୟନ ବିଭାଗ ତରଫରୁ ଶୀଘ୍ର ସ୍ପଷ୍ଟୀକରଣ ଏବଂ ଆଫିଡେଭିଟ୍ ଦାଖଲ କରି ମାମଲାର ଶୁଣାଣି ଶେଷ କରିବା।
  • ଆପାର୍ଟମେଣ୍ଟ, କଲୋନି ଏବଂ ବ୍ୟବସାୟୀଙ୍କୁ ଧମକ, ହେରାଣ ଓ ଜୋର୍ ଜବରଦସ୍ତି କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ।
  • ଦୁଇଥର ଆଦାୟ ଓ ନକଲି ରସିଦ୍ ପ୍ରଦାନ ବନ୍ଦ କରିବା।
  • କେବଳ ବଡ଼ ବ୍ୟବସାୟ ପ୍ରତିଷ୍ଠାନ, ଡାକ୍ତରଖାନା, ହୋଟେଲ ଓ ବଳ୍କ୍ ବର୍ଯ୍ୟବସ୍ତୁ ଉତ୍ପାଦକଙ୍କଠାରୁ ୟୁଜର ଫି ଆଦାୟ କରି ସାଧାରଣ ନାଗରିକଙ୍କୁ ମୁକ୍ତ ରଖିବା।
    ବାସୁଦେବ ଭଟ୍ଟ, ସଭାପତି, ଭୁବନେଶ୍ୱର ଉନ୍ନୟନ ପରିଷଦ କହିଛନ୍ତି:
    “ହୋଲଡିଂ ଟ୍ୟାକ୍ସ ମାଧ୍ୟମରେ ଡ୍ରେନ, ଅଳିଆ ଉଠାଉଥିବା, ବସ୍ତି ବିକାଶ, ସହର ସୌନ୍ଦର୍ଯ୍ୟକରଣ ଏବଂ ପରିମଳ ସେବା ପାଇଁ ଟ୍ୟାକ୍ସ ଦେଉଛୁଁ। ଏହା ଉପରେ ପୁନର୍ବାର ୟୁଜର ଫି ଆଦାୟ କରିବା ଡବଲ୍ ଟ୍ୟାକ୍ସେସନ୍ ଏବଂ ଜନତାଙ୍କ ଲୁଟ୍ ଅଟେ। ହାଇକୋର୍ଟ ରହିତାଦେଶ ସତ୍ୱେ ବିଏମ୍‌ସି ଜୋର୍ ଜବରଦସ୍ତି କରୁଛି। ଏହା ତୁରନ୍ତ ବନ୍ଦ ହେବା ଉଚିତ୍।”
    କମିଶନରଙ୍କ ଆଶ୍ୱାସନ:
    ବିଏମ୍‌ସି କମିଶନର ଶ୍ରୀ ଚଞ୍ଚଳ ରାଣା ଏହି ପ୍ରସଙ୍ଗରେ ବିଭିନ୍ନ ପ୍ରସ୍ତାବରେ ସକାରାତ୍ମକ ଆଶ୍ୱାସନ ଦେଇଛନ୍ତି:
  • ହାଇକୋର୍ଟରେ ଶୀଘ୍ର ସ୍ପଷ୍ଟୀକରଣ ଦାଖଲ କରିବେ।
  • କୌଣସି ପ୍ରକାରର ଜୋର୍ ଜବରଦସ୍ତି ଆଦାୟ କରାଯିବ ନାହିଁ।
  • ଦୁଇଥର ଆଦାୟ ଓ ନକଲି ରସିଦ୍ ଅଭିଯୋଗର ତଦନ୍ତ କରିବେ।
  • ହୋଲଡିଂ ଟ୍ୟାକ୍ସ ସହ ୟୁଜର ଫି ଲିଙ୍କ୍ କରି ସ୍ୱଚ୍ଛ ଅନଲାଇନ୍ ସିଷ୍ଟମ୍ ଓ ଏସ୍‌ଏମ୍‌ଏସ୍ ଆଲର୍ଟ ପ୍ରଣୟନ କରିବେ।
    ଆମେ ଭୁବନେଶ୍ୱରିଆ ସ୍ପଷ୍ଟ କରିଛି ଯେ ହାଇକୋର୍ଟର ଅନ୍ତିମ ରାୟ ନ ଆସିପର୍ଯ୍ୟନ୍ତ ପ୍ରତିଦିନ ସକାଳେ ବିଭିନ୍ନ ପାର୍କରେ ସହସ୍ରାଧିକ ସମର୍ଥନ ଦସ୍ତଖତ ଅଭିଯାନ ଏବଂ ଜନସଚେତନତା ଅଭିଯାନ ଜାରି ରଖିବା ସହ ଭୁବନେଶ୍ୱର ଉନ୍ନୟନ ପରିଷଦ ଓ ଜନ ଜାଗରଣ ଉଚ୍ଚ ନ୍ୟାୟାଳୟରେ ଇଣ୍ଟରଭିନର ହେବାପାଇଁ ନିଷ୍ପତି ହୋଇଛି l ଏହା ବ୍ୟତୀତ ଆସନ୍ତା ସପ୍ତାହରେ ଉଷା ପାଢ଼ୀ ଙ୍କୁ ଦେଖା ହୋଇ ଅଭିଯୋଗ କରିବାକୁ କମିଟି ନିଷ୍ପତି ନେଇଛି l ଏହି ସଭାରେ ସୁରେଶ ବରାଳ, ଆନନ୍ଦ ପଲେଇ, ନିରୁପମା ରଥ, ପ୍ରକାଶ ମିଶ୍ର, ଶଙ୍କର୍ଷଣ ବାରିକ, ମୋନାଲିସା ନାୟକ, ପଦ୍ମନାଭ ସାହୁ, ଅନୁରାଧା ଦାସ, ଅଭୟ ସେନାପତି, ଲଲାଟ କେଶରୀ ଜେନା, ଅମୁଲ୍ୟ ରାଉତ, ବିବେକାନନ୍ଦ ବିଶ୍ୱାଳ, ଶୁଭକାନ୍ତ ଜେନା, ରଘୁନାଥ ପାତ୍ର ଙ୍କ ସହ ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page