ସେଲ୍ ହକି ଏକାଡେମୀ ପକ୍ଷରୁ ଭବ୍ୟ ସ୍ୱାଗତ, କୋଚ୍ଙ୍କ ଆଶୀର୍ବାଦ ନେଲେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ବିଜେତା
ରାଉରକେଲା, ୭।୧୦: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ରାଉରକେଲା ଫେରିଛନ୍ତି ସହରର ଗର୍ବ ତଥା ଭାରତୀୟ ହକି ଖେଳାଳି ଶିଳାନନ୍ଦ ଲାକ୍ରା। ରାଉରକେଲା, ସେଲ୍ ହକି ଏକାଡେମୀରେ ତାଙ୍କ ହକି ପ୍ରତିଭାର ବିକାଶ ହୋଇଥିବାରୁ ଏହା ତାଙ୍କ ପାଇଁ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ଥିଲା। ଭୁବନେଶ୍ଵର ରୁ ଆସି ପହଞ୍ଚିବା ପରେ ଶିଳାନନ୍ଦଙ୍କୁ ସେଲ୍ ହକି ଏକାଡେମୀ ଓ ଆର୍ଏସ୍ପିର ଅଧିକାରୀ, ଏକାଡେମୀର ଖେଳାଳି ତଥା କ୍ରୀଡ଼ାପ୍ରେମୀମାନେ ଉଚ୍ଛସ୍ଵିତ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।

ଦୀର୍ଘଦିନ ପରେ ନିଜ ହକି ଜୀବନର ଗଢ଼ଣିସ୍ଥଳୀକୁ ଫେରି ଶିଳାନନ୍ଦ ନିଜ ପ୍ରଶିକ୍ଷକ ରାଜୁକାନ୍ତ ସାଇନି ଓ ପିଟର୍ ତିର୍କୀଙ୍କ ଆଶୀର୍ବାଦ ନେଇଥିଲେ। ସେଲ୍ ହକି ଏକାଡେମୀରେ ପ୍ରଶିକ୍ଷଣ ନେଇ ଶିଳାନନ୍ଦ ନିଜ ହକି ଯାତ୍ରାକୁ ଆଗକୁ ବଢ଼ାଇଥିଲେ। ଆଜି ଏସିଆନ୍ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ସେହି ସ୍ଥାନକୁ ଫେରିବା ଓ ସମ୍ବର୍ଦ୍ଧନା ପାଇବା ତାଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା।