କୋଟି କୋଟି ଟଙ୍କାର ବସଷ୍ଟାଣ୍ଡ ଖାଲି, ରାସ୍ତା ଉପରେ ବସ ର ଦରବାର:-ଯାତ୍ରୀ ଆଣିବା ବାହାନାରେ ମୁଖ୍ୟ ବଜାର ରୁ ଥାନା ଯାଏଁ ଲମ୍ବା ହୋଇ ବସ, ଆମ୍ବୁଲାନ୍ସ ବି ଫସୁଛି; ପ୍ରଶାସନ ନିରବ

କାକଟପୁର-୦୮/୦୬:-ପୁରୀ ଜିଲ୍ଲା କାକଟପୁର ହେଉଛି ମା ‘ମଙ୍ଗଳା ଙ୍କ ପାଇଁ ପ୍ରସିଦ୍ଧ । ରାଜ୍ୟ ତଥା କୋଣ ଅନୁକୋଣ ରୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ଅସ୍ତରଙ୍ଗ ରୁ ଭୁବନେଶ୍ୱର, କଟକ, ପାରାଦ୍ୱୀପ ଗମନାଗମନ ପାଇଁ କାକଟପୁର ହେଉଛି ମୁଖ୍ୟ ରାସ୍ତା ।ଟ୍ରାଫିକ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କାକଟପୁରରେ ନୂଆ ବସଷ୍ଟାଣ୍ଡ ତିଆରି କଲେ । ହେଲେ କିଛି ମାସ ହେଲା ଉଦ୍‌ଘାଟନ ହୋଇଥିବା ସେହି ବସଷ୍ଟାଣ୍ଡ ଖାଁ ଖାଁ । ଯାତ୍ରୀ ଆଣିବା ବାହାନାରେ ଘରୋଇ ବସଗୁଡିକ ନୂଆ ବସଷ୍ଟାଣ୍ଡରୁ ବାହାରି ସିଧା ଥାନା ନିକଟରେ ଆସି ରାସ୍ତା ଉପରେ ଲମ୍ବା ହୋଇ ଠିଆ ହେଉଛନ୍ତି । ଫଳରେ ପୁରୀ-ଭୁବନେଶ୍ୱର -ଅସ୍ତରଙ୍ଗ ମୁଖ୍ୟ ରାସ୍ତାରେ ଦିନରାତି ଟ୍ରାଫିକ ଜାମ ଲାଗିରହୁଛି । କାକଟପୁର ମୁଖ୍ୟ ବଜାର ରୁ ଥାନା ଛକ, ମା’ ମଙ୍ଗଳା ମନ୍ଦିର ଛକ ପର୍ଯ୍ୟନ୍ତ ପ୍ରାୟ ୨ଶହ ମିଟର ରାସ୍ତାରେ ସବୁବେଳେ ୫ରୁ ୭ଟି ବସ ଠିଆ ହେଉଛନ୍ତି । ପ୍ରତି ବସ ୨୦ ରୁ ୩୦ମିନିଟ ଯାଏଁ ଯାତ୍ରୀ ଡାକୁଛନ୍ତି । ଗତ କିଛି ସପ୍ତାହତଳେ ହୃଦଘାତ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ୧୫ମିନିଟ ଥାନା ଛକରେ ଫସିରହିଲା । ସ୍ଥାନୀୟ ଲୋକ ବସ ହଟାଇବା ପରେ ଆମ୍ବୁଲାନ୍ସ ଗଲା ।୮କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚରେ ତିଆରି ନୂଆ ବସଷ୍ଟାଣ୍ଡରେ ଶୌଚାଳୟ, ପାନୀୟ ଜଳ, ବିଶ୍ରାମ ଗୃହ, ଟିକେଟ କାଉଣ୍ଟର ସବୁ ଅଛି। ହେଲେ ଦିନକୁ କିଛି ବସ ଛାଡିଦେଲେ ଅନେକ କଟକ, ଭୁବନେଶ୍ୱର, ପୁରୀ ଯାତାୟାତ କରୁଥିବା ବସ ସେଠାକୁ ଯାଉଛନ୍ତି, ଅଳ୍ପ କେତୋଟି ବସ ନିୟମ ମାନି ସେଠାକୁ ଯାଉନାହାନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବସ ମାଲିକ କହିଲେ, “ନୂଆ ଷ୍ଟାଣ୍ଡ ରୁ କାକଟପୁର ମୁଖ୍ୟ ବଜାର ପାଖାପାଖି ୧କିମି ଦୂରରେ । ଯାତ୍ରୀ ସେଠାକୁ ଯାଉନାହାନ୍ତି । ଆମେ ଖାଲି ବସ ନେଇ କ’ଣ କରିବୁ? ଥାନା ଛକରୁ ହିଁ ସବୁ ଯାତ୍ରୀ ଉଠୁଛନ୍ତି ।ସ୍ଥାନୀୟ ଲୋକ ତଥା ବ୍ୟବସାୟୀ ସନାତନ ସାହୁ କୁହନ୍ତି, “ସକାଳ ୮ରୁ ରାତି ୮ ଯାଏଁ ରାସ୍ତା ଜାମ ।

ସ୍କୁଲ ପିଲା, ରୋଗୀ, ଅଫିସ ବାବୁ ସମସ୍ତେ ହଇରାଣ । ପୋଲିସ ଥାନା ଆଗରେ ହିଁ ବସ ଠିଆ ହେଉଛି, ହେଲେ ପୋଲିସ ଦେଖି ବି ଦେଖୁନି । କି ବିଡମ୍ବନା!”। କିଛି ଦିନ ପୂର୍ବେ
କାକଟପୁର ତହସିଲଦାର ଅଙ୍କିତା ଅନିନ୍ଧିତା ପଚାରିବାରୁ କହିଥିଲେ “ନୂଆ ବସଷ୍ଟାଣ୍ଡ ବ୍ୟବହାର ବାଧ୍ୟତାମୂଳକ । ଏନେଇ ବାରମ୍ବାର କହିଲେ ସେମାନେ ମାନୁନାହାନ୍ତି । ଖୁବ୍ ଶୀଘ୍ର ମାଜିଷ୍ଟ୍ରେଟ ଓ ପୋଲିସ ସହ ମିଳିତ ଚଢାଉ କରି ରାସ୍ତାରେ ଠିଆ ହେଉଥିବା ବସଙ୍କ ବିରୋଧରେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ । ଆବଶ୍ୟକ ହେଲେ ପରମିଟ ରଦ୍ଦ ହେବ ।”କାକଟପୁର ଥାନାଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି “ଟ୍ରାଫିକ କନଷ୍ଟେବଲ ଅଭାବ ଅଛି । ତଥାପି ସକାଳ ଓ ସନ୍ଧ୍ୟାରେ ୨ଜଣ ହୋମଗାର୍ଡ ଡ୍ୟୁଟି କରୁଛନ୍ତି । ଆମେ ପ୍ରତିଦିନ ୩ରୁ ୪ ବସକୁ ଚାଲାଣ କାଟୁଛୁ । କିନ୍ତୁ ସମସ୍ୟା ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଢ ନିଷ୍ପତ୍ତି ଦରକାର ।ଏହାର ସମାଧାନ ପାଇଁ ନୋ-ପାର୍କିଂ ଜୋନ, କାକଟପୁର ମୁଖ୍ୟ ବଜାର ରୁ ଥାନା ଛକ,ଥାନା ଛକରୁ ମଙ୍ଗଳା ଛକ ଯାଏଁ ‘ନୋ-ପାର୍କିଂ, ନୋ-ହଲ୍ଟିଂ’ ବୋର୍ଡ ଲଗାଇ କଡାକଡି କରାଯାଉ ।ମୁଖ୍ୟ ଛକରେ ସିସିଟିଭି ଲଗାଇ ନିୟମ ଭାଙ୍ଗୁଥିବା ବସର ଇ-ଚାଲାଣ କଟାଯାଉ ।କୋଟି କୋଟି ଟଙ୍କାର ବସଷ୍ଟାଣ୍ଡ ଯଦି ବ୍ୟବହାର ନହୁଏ, ତେବେ ତାହା ସରକାରୀ ଟଙ୍କାର ଅପଚୟ । ଯାତ୍ରୀଙ୍କ ସୁବିଧା ଓ କାକଟପୁର ଅଞ୍ଚଳ ଶୃଙ୍ଖଳା ପାଇଁ ବସ ମାଲିକ, ପ୍ରଶାସନ ଓ ପୋଲିସ — ତିନିହେଁ ନିଜ ଦାୟିତ୍ୱ ବୁଝିବା ଦରକାର । ନହେଲେ ‘ନୂଆ ବସଷ୍ଟାଣ୍ଡ’ କେବଳ ‘ନୂଆ ଅଭିଶାପ’ ହୋଇ ରହିଯିବ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page