ଚିଲିକା, ୧୫। ୭ :ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଠାରେ ବିଜେ ଗମ୍ଭାରୀମୁଣ୍ଡା ର ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ମା’ ଆଙ୍କୁଲେଶ୍ୱରୀ ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଆଜି ବୁଧବାର ଯଜ୍ଞର ପୂର୍ଣ୍ଣାହୂତି ଦିବସରେ ମହା ମେଳନ ପର୍ବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ୧୨ ତାରିଖ ରବିବାର ଦିନ ଅଙ୍କୁରାରୋପଣ ହୋଇଥିବା ବେଳେ ସୋମ ବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା,ଗୋପୂଜା, ସାଲାଘର, ଚଣ୍ଡୀପାଠ ହେବାପରେ ପ୍ରତ୍ୟେହ ଯଜ୍ଞରେ ଆହୁତି ପ୍ରଦାନ କରାଯାଉ ଥିଲା । ଆଜି ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ଏହି ଅବସରରେ ନଗର କୀର୍ତ୍ତନ ସହ ମନ୍ଦିର ତରଫରୁ ଭକ୍ତମାନଙ୍କ ପାଇଁ ଦୈନଦିନ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

ପୂର୍ଣ୍ଣାହୁତି ଦିବସରେ ମା’ ଆଙ୍କୁଲେଶ୍ୱରୀ ଦେବୀଙ୍କ ନିମନ୍ତ୍ରଣ ପାଇ ଆଖପାଖ ଅଞ୍ଚଳର ୭ ଦେବା ଦେବୀ ଯଥା ମା’ ବ୍ରାହ୍ମଣି ଦେବୀ ବିଜେ ଗମ୍ଭାରୀମୁଣ୍ଡା,ମା’ ଉତ୍ତରାୟଣୀ ଦେବୀ ବିଜେ ବିଞ୍ଝାଳା, ମା ଆଙ୍କୁଲେଶ୍ୱରୀ ଦେବୀ ବିଜେ ଗମ୍ଭାରୀମୁଣ୍ଡା,ଶ୍ରୀ ରଘୁନାଥ ଦେବ ବିଜେ ବିଞ୍ଝଳା, ଶ୍ରୀ ଗାଦିଶ୍ୱର ଦେବ ବିଜେ ଗମ୍ଭାରୀମୁଣ୍ଡା, ଶ୍ରୀ ଶ୍ରୀ ପତିତପାବନ ଦେବ ଗମ୍ଭାରୀମୁଣ୍ଡା ଓ ଶ୍ରୀ ଶ୍ରୀ ଗାଦୀଶ୍ଵରଦେବ ଙ୍କ ବିଜେ ପ୍ରତିମା ସୁସଜ୍ଜିତ ବିମାନ ସହିତ ବିରାଟ ଶୋଭାଯାତ୍ରାରେ ଗମ୍ଭାରୀମୁଣ୍ଡା ବଜାର ପରିକ୍ରମା କରି ସ୍ଥାନୀୟ ଅଶୋକା ମେଳଣ ପଡ଼ିଆରେ ପହଞ୍ଚିଥିଲେ । ସେଠାରେ ଦେବୀଙ୍କ ନୀତିକାନ୍ତି ପୂଜାର୍ଚ୍ଚନା କରାଯିବା ସହ ଅପରାହ୍ନରେ ସମସ୍ତ ବିଜେ ପ୍ରତିମାଙ୍କ ମହା ମେଳଣ ପର୍ଵ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଗମ୍ଭାରୀମୁଣ୍ଡା ଗ୍ରାମବାସୀ ପରିଚାଳନା କରିଥିବାବେଳେ ଗମ୍ଭାରୀମୁଣ୍ଡା ବଜାରର ସମସ୍ତ ବ୍ୟବସାୟୀ ଭାଇ ମାନେ ସହଯୋଗ କରିଥିଲେ I

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି