ଚିଲିକା, ୫ । ୯:ଆଜି ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷି ବିଭାଗ ତରଫରୁ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭାଗୀୟ କୃଷି ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ପରିଡା, କୃଷି ସହାୟକ କୃଷ୍ଣ ଚନ୍ଦ୍ର ପ୍ରଧାନ ଉଦ୍ୟାନ କୃଷି ଓ ତାର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସଭାର ସଭପତିତ୍ବ କରିଥିଲେ ପ୍ରାଣୀ ବିଜ୍ଞାନ ମୁଖ୍ଯ ଶ୍ରୀଯୁକ୍ତ ଗୋଲଖ ବିହାରୀ ବାରିକ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ଓ ପରେ ଶ୍ରୀଯୁକ୍ତ ଅଜିତ ମିଶ୍ରଙ୍କ ନିର୍ଦ୍ଦେଶିତ ଗଛ ପୋତିବା ପ୍ରାରମ୍ଭିକ ସଙ୍ଗୀତକୁ ଉଦ୍ଭିଦ ବିଜ୍ଞାନର ଛାତ୍ରୀମାନେ ଗାନ କରିଥିଲେ । ପ୍ରାରମ୍ଭିକ ସୂଚନା ସହିତ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା ଶ୍ରୀମତୀ ଅରୁପମା ମହାପାତ୍ର ।ଧନ୍ୟବାଦ ପ୍ରଦାନ କରିଥିଲେ ଅଧ୍ୟାପିକା ଶ୍ରୀମତୀ ଲୋପାମୁଦ୍ରା ମିଶ୍ର। ସଭାରେ ଉପସ୍ଥିତ ଥିଲେ ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ଚାମାର୍ତ୍ତୀ ମଞୁଲତା, ଶ୍ରୀମତୀ ରୂପପ୍ରଭା ପ୍ରଧାନ, ଉଦ୍ଭିଦ ବିଜ୍ଞାନର ଡେମୋନଷ୍ଟ୍ରେଟର ଶ୍ରୀଯୁକ୍ତ ଅଜିତ କୁମାର ମିଶ୍ର, ଶ୍ରୀଯୁକ୍ତ ତୁଷାର କୁମାର ବରାଳ ଓ ରସାୟନ ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ଶୁଚିସ୍ମିତା ଦାସ । ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ରସାୟନ ବିଜ୍ଞାନର ଛାତ୍ର ଛାତ୍ରୀ ଏହାକୁ ଉପଭୋଗ କରିଥିଲେ । ପରିଶେଷରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନୀଲ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟ ପରିବେଶରେ ଏକାଧିକ ବୃକ୍ଷରୋପଣ କରାଯାଇଥିଲା । ସମସ୍ତେ ଏହାକୁ ଭୂୟସୀ ପ୍ରଶଂସା କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି