ଖଣ୍ଡିଏ ବି ଭୁଲ ବହି କାହାପାଖରେ ରହିବା ଉଚ୍ଚିତ ନୁହେଁ, ଭବିଷ୍ୟତ ପିଢ଼ି ପାଇଁ ମହାପାପ

ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ରହିଛି ବୋଲି ଏସସିଇଆରଟି କର୍ତ୍ତୁପକ୍ଷ ସ୍ବୀକାର କରି ଥିବାରୁ, ଏହି ତ୍ରୁଟି ରହିଥିବା ସମସ୍ତ ପାଠ୍ୟ ପୁସ୍ତକକୁ ସରକାର ଫେରସ୍ତ କରିନେବା ଆବଶ୍ୟକ | ଖଣ୍ଡିଏ ବି ଭୁଲ ବହି କାହାପାଖରେ ରହିବା ଉଚ୍ଚିତ ନୁହେଁ, ଭବିଷ୍ୟତ ପିଢ଼ି ପାଇଁ ମହାପାପ | ଯଥାଶିଘ୍ର ସମ୍ଭବ ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯାଇ ସରକାର ବିଦ୍ୟାଳୟଗୁଡିକୁ ମଧ୍ୟ ଯୋଗାଇଦେବା ଆବଶ୍ୟକ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପଠାଯାଇଛି |

ଭୁବନେଶ୍ୱର – 18/06 ଓଡ଼ିଆ ‘ଅସ୍ମିତା’ର ଦ୍ଵାହିଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଆଙ୍କୁ ଆହ୍ବାନ ଦେଇଥିଲେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ | ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ଉପରେ ଭରସାରଖି ଓଡିଶାବାସୀ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅବକ୍ଷୟରୁ ରକ୍ଷା କରିବାକୁ ସମର୍ଥନ ଦେଲେ I ସରକାର ବଦଳିଲା I ଆଜି କିନ୍ତୁ ଓଡ଼ିଶାବାସୀ ମହରଗରୁ ଯାଇ କାନ୍ତାରରେ ପଡିଥିବାରୁ ମୁଣ୍ଡରେ ହାତଦେଇ ବସିଛନ୍ତି I ଜାତୀୟ ଶିକ୍ଷା ଆଧାରରେ ସରକାର ପ୍ରସ୍ତୁତ କରିଥିବା ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ରହିଛି I ସ୍ବୟଂ ମୁଖ୍ୟମନ୍ତ୍ରୀ ତ୍ରୁଟି ସବୁକୁ ଅନୁଧ୍ୟାନ କଲାପରେ ବିରକ୍ତି ପ୍ରକାଶ କରି ତଦନ୍ତ ଆଦେଶ ଦେଇଥିଲା ବେଳେ, ଗଣଶିକ୍ଷାମନ୍ତ୍ରୀ କହୁଛନ୍ତି ତ୍ରୁଟି ସାମାନ୍ୟ, ବଡ ଭୁଲ୍ ନୁହେଁ I ହାତୀ ବୁଡିଗଲାଣି, ମେଣ୍ଢା ପଚାରୁଛି, କେତେ ପାଣି ! ତିନିଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ହୁଏତ କିଛି ଲୋକଙ୍କୁ ଉତ୍ତରଦାୟୀ କରିବେ ଏବଂ ସେମାନଙ୍କୁ ମଧ୍ୟ ଦଣ୍ଡିତ କରାଯାଇପାରେ I ଏହା ଫଳରେ ଯେ ଆଗକୁ ଏପରି ହେବନାହିଁ, ତାହା କହି ହେବନାହିଁ I ଭାଷା ଆନ୍ଦୋଳନ, ଓଡିଶା ପକ୍ଷରୁ ଏହାର କାରଣ ଖୋଜିବାକୁ ଯାଇ ଦେଖିଛୁ ଯେ, ଓଡ଼ିଶାରେ କେବେହେଲେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି I ହିନ୍ଦୀ, ସଂସ୍କୃତ, ଉର୍ଦ୍ଦୁ, ଇଂରାଜୀ, ତେଲଗୁ ,ତାମିଲ ଭାଷା-ଶିକ୍ଷକଙ୍କ ଭଳି ‘ଓଡ଼ିଆ ଭାଷା ଶିକ୍ଷକ’ ନିଯୁକ୍ତି ଦିଆ ଯାଇନାହିଁ | ଆମେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ନିକଟରେ ଦାବି କରିବାରୁ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲେ ବି, ସେଥିରେ ମାତ୍ର ୨୦୦ ମାର୍କ ଓଡ଼ିଆ ଭାଷା ପଢିଥିବା ସ୍ନାତକ ‘ଓଡ଼ିଆ ଭାଷା ଶିକ୍ଷକ’ ହେବାକୁ ଯୋଗ୍ୟ ବୋଲି ପ୍ରକାଶ ପାଇଲା I ଯେତେବେଳେ, ଭାଷା ଶିକ୍ଷକଙ୍କ ଶିକ୍ଷାରମାନ ଏଭଳି ନିମ୍ନ ରଖାଯିବ, ପାଠ୍ୟ ପୁସ୍ତକରେ ତ୍ରୁଟି ରହିବ ହିଁ ରହିବ | ଓଡ଼ିଶାରେ ଶିକ୍ଷକ ପ୍ରଶିକ୍ଷଣ ପାଇଁ ସୀମିତ ସ୍ଥାନ ଥିବାବେଳେ ଓଡ଼ିଶାର ଶିକ୍ଷକ ନିଯୁକ୍ତି ଆଶାୟୀମାନେ ଆନ୍ଧ୍ର ପ୍ରଦେଶରୁ ବିଇଡି ପ୍ରମାଣପତ୍ର ହାସଲକରି ଶିକ୍ଷକ ଭାବରେ ନିଯୁକ୍ତି ପାଉଛନ୍ତି | ଭାଷା ଆନ୍ଦୋଳନ, ଓଡିଶାର ଦାବି ଫଳରେ ଓଡ଼ିଆଭାଷାରେ ଶାସନକାର୍ଯ୍ୟ ପରିଚାଳନା କରିବା ପାଇଁ ଭାଷା ପ୍ରତିଷ୍ଠାନ ମାଧ୍ୟମରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ପ୍ରଶିକ୍ଷଣ ଶିବିର କରାଯାଉଛି I ଆରମ୍ଭକାଳରେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଏବଂ ପ୍ରାଧ୍ୟାପକମାନେ ପ୍ରଶିକ୍ଷଣ ଦେଉଥିବାବେଳେ ଏବେ ଏହି ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟ ଜଣେ ସେବାନିବୃତ୍ତ ଅଧ୍ୟାପକଙ୍କ ଉପରେ ନ୍ୟସ୍ତ କରାଯାଇଛି; ଯେ କି ଜଣେ ଅବସରପ୍ରାପ୍ତ କିରାଣୀଙ୍କୁ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇ ସରକାରଙ୍କଠାରୁ ଅର୍ଥ ତୋଷରପାତ କରୁଛନ୍ତି | ଏହି ପୂର୍ବତନ ଅଧ୍ୟାପକ ବ୍ରହ୍ମପୁର ମହାନଗରରେ ଥିବା ଓଡିଆ ଅସ୍ମିତାର ନାଭିକେନ୍ଦ୍ର ‘ଉତ୍କଳ ଆଶ୍ରମ’କୁ ଦଖଲକରି ଅନୈତିକ ଉପାୟରେ ଅର୍ଥ ଉପାର୍ଜନ କରୁଛନ୍ତି | ଭାଷା ଆନ୍ଦୋଳନ, ଓଡିଶା ପକ୍ଷରୁ ମାତ୍ର ତିନିମାସ ମଧ୍ୟରେ ଓଡ଼ିଶାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆରେ କାର୍ଯ୍ୟ ସମ୍ପାଦନ ହୋଇ ପାରିବ ବୋଲି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦିଆଯାଇଛି I ସରକାର ଏ ସମ୍ପର୍କରେ ବିଚାର କରିବାକୁ ଆମେ ଦାବି କରୁଛୁ I ତାହା ନହେଲେ, ଦଲାଲମାନେ ଓଡିଆ ଭାଷା ଏବଂ ଓଡିଆ ଅସ୍ମିତାକୁ କ୍ଷତବିକ୍ଷତ କରି ଚାଲିଥିବେ I

ଆମର ଦାବୀ –
୧.ତ୍ରୁଟିରହିଥିବା ସମସ୍ତ ପାଠ୍ୟ ପୁସ୍ତକକୁ ସରକାର ତୁରନ୍ତ ଫେରସ୍ତ ନେଇ ଯୁଦ୍ଧକାଳୀନ ଭିତ୍ତିରେ ସଂଶୋଧିତ ପାଠ୍ୟପୁସ୍ତକ ପୁନର୍ବାର ଛପାଇ ବିଦ୍ୟାଳୟମାନଙ୍କୁ ଯୋଗାଇ ଦିଅନ୍ତୁ |
୨.ଯେଉଁମାନେ ଏହି ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ ଭାଗ ନେଇଥିଲେ, ସେମାନଙ୍କ ନାମ ସର୍ବସାଧାରଣରେ ପ୍ରକାଶ କରନ୍ତୁ | ଏମାନଙ୍କୁ କିପରି ପରିସ୍ଥିତିରେ ଏବଂ କେଉଁ ପ୍ରକ୍ରିୟାରେ ଦାୟିତ୍ବ
ଅର୍ପଣ କରାଯାଇଥିଲା, ତାହା ସାର୍ବଜନୀନ କରାଯାଉ I ସଂଶୋଧିତ ପାଠ୍ୟପୁସ୍ତକ ପୁନର୍ବାର ଛପାଇ ବିଦ୍ୟାଳୟମାନଙ୍କୁ ଯୋଗାଇବାର ସମସ୍ତ ଖର୍ଚ୍ଚ ଏମାନଙ୍କ ଠାରୁ ଭରଣା କରାଯାଉ I ଦୋଷୀମାନଙ୍କ ବିରୁଦ୍ଧରେ ଉଭୟ ବିଭାଗୀୟ ତଥା ଭାରତୀୟ ନ୍ୟାୟ ସଂହିତା ଆଧାରରେ ଅପରାଧିକ ମାମଲା କରାଯାଉ I ଏହା ସମସ୍ତଙ୍କ ପାଇଁ ଦାୟିତ୍ବବୋଧ ସୃଷ୍ଟି କରିବ I ତ୍ରୁଟି ରହିଥିବା ପାଠ୍ୟ ପୁସ୍ତକ ପ୍ରସ୍ତୁତି ସମ୍ପର୍କିତ ସମସ୍ତ ସଦସ୍ୟଙ୍କୁ ଦାୟିତ୍ବହୀନ ଘୋଷଣା ସହ ସରକାରୀ ବାସନ୍ଦ କରାଯାଉ, ଯାହା ଫଳରେ ଏମାନେ ପୁନର୍ବାର ସୁଯୋଗ ହାତେଇ ପାରିବେ ନାହିଁ|
୩. ସମସ୍ତ ବିଦ୍ୟାଳୟରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦିଆଯାଉ ଏବଂ ଏଥିପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଓଡିଆ ଭାଷା ଓ ସାହିତ୍ୟରେ ସମ୍ମାନ ସହ ସ୍ନାତକ ରଖାଯାଉ | ୨୦୦ ମାର୍କ ଓଡିଆ ଭାଷା ଶିକ୍ଷା କରିଥିବାର ପ୍ରମାଣପତ୍ରଧାରୀ ଶିକ୍ଷକଙ୍କ ଠାରୁ ‘ଓଡ଼ିଆ ଭାଷା ଶିକ୍ଷକ’ ମାନ୍ୟତା ପ୍ରତ୍ୟାହାର କରାଯାଉ |
୪. ଓଡ଼ିଶାରେ ‘ଓଡ଼ିଆ ବିଏଡ଼’ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉ ଏବଂ ଓଡ଼ିଶାରେ ରହିଥିବା ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ଆସନ ସଂଖ୍ୟା ବଢ଼ାଯାଉ| ବେସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକୁ ଅନୁମତି ଦେଇ ସରକାର ‘ଓଡ଼ିଆ ବିଏଡ଼’ ପ୍ରଶିକ୍ଷାର୍ଥୀ ସୃଷ୍ଟି କରନ୍ତୁ, ଯାହାଫଳରେ ଅନ୍ୟ ରାଜ୍ୟରୁ ନକଲି ସାର୍ଟିଫିକେଟ ଆଣି ଓଡ଼ିଶାରେ ଚାକିରୀ କରିବାକୁ ପଡିବ ନାହିଁ |
୫. ଭାଷା ପ୍ରତିଷ୍ଠାନ ଦ୍ୱାରା ସରକାରୀ କର୍ମଚାରୀ ମାନଙ୍କୁ ଓଡିଆ ଭାଷାରେ ସରକାରୀ କାମ, ଚିଠିପତ୍ର ପ୍ରସ୍ତୁତି ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ଦେବାପାଇଁ ଶୁଦ୍ଧ ଓଡିଆ ଭାଷା ତଥା ବ୍ୟାକରଣରେ ଦଖଲ ରଖିଥିବା ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉ|

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page