ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ

ବାଲିଅନ୍ତା୦୬।୦୬ (ଗୋବର୍ଦ୍ଧନ ଦାସ):- କିଛି ଦିନ ହେବ ବାଲିଅନ୍ତା ଓ ଧଉଳି ଥାନା ପୁଲିସ ଦ୍ୱାରା ନିଜ ନିଜ ଅଞ୍ଚଳରେ ବିଭିନ୍ନ ଛକଠାରେ ନାଇଟ୍ ବ୍ଲକିଂ ଓ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଯାହା ଦ୍ଵାରା ବିଭିନ୍ନ ଲୁଟ୍, ଚୋର ନିଶା କାରବାର, ବେଆଇନ ମାଟି ,ବାଲି ଚୋରା ଚାଲାଣ ଆଦି ଅନେକେ ଅପରାଧିକ କାର୍ଯ୍ୟକୁ ନିୟନ୍ତ୍ରଣ କରାଯାଇ ପାରିବ। ସବୁଦିନ ପରି ରାତ୍ରିକାଳୀନ ପଇଁତରା ମାରୁଥିବା ବାଲିଅନ୍ତା ଥାନାର ଏକ ପୁଲିସ୍ ଟିମ୍
୦୬.୦୬.୨୦୨୬ ରାତି ପ୍ରାୟ ୧୨.୪୫ ସମୟରେ ରଙ୍ଗବଜାର ଛକଠାରେ ନାଇଟ୍ ବ୍ଲକିଂ ଓ ଯାନବାହନ ଯାଞ୍ଚ ଚାଲିଥିବା ବେଳେ ବୈଁଚୁଆ ଗ୍ରାମ ପଟୁ ଏକ ଟାଟା ଟିପ୍ପର ଦ୍ରୁତ ଗତିରେ ସତ୍ୟଭାମାପୁର ଆଡକୁ ଆସୁଥିବା ଦେଖାଯାଇଥିଲା। ପୁଲିସ ପକ୍ଷରୁ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯିବାରୁ ଗାଡ଼ିରେ ବାଲି ପରିବହନ ହେଉଥିବା ଜଣାପଡ଼ିଥିଲା। ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଗୋହିରପଡ଼ ଗ୍ରାମର ଡ୍ରାଇଭର କୁରୁପା ମାଝୀଙ୍କୁ ବାଲି ପରିବହନ ସମ୍ପର୍କିତ ବୈଧ ଦସ୍ତାବିଜ, ଟ୍ରାନ୍ସିଟ୍ ପାସ୍ କିମ୍ବା ଅନ୍ୟ କୌଣସି ଅନୁମତିପତ୍ର ଦେଖାଇବାକୁ କୁହାଯାଇଥିଲେ ମଧ୍ୟ ସେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ।
ତଦନ୍ତ ସମୟରେ ପଚରାଉଚରା ବେଳେ ଅଭିଯୁକ୍ତ କୁରୁପା ମାଝୀ, ଗାଡ଼ି ମାଲିକଙ୍କ ନିର୍ଦ୍ଦେଶରେ ବେଆଇନ ଭାବରେ ବାଲି ଖନନ, ପରିବହନ ଓ ଚୋରାଚାଲାଣ କରୁଥିବା ସ୍ଵୀକାର କରିଥିଲେ। ଏହାଦ୍ୱାରା ସରକାରଙ୍କ ରାଜସ୍ୱ କ୍ଷତି ହେଉଥିବା ସତ୍ତ୍ୱେ ବ୍ୟକ୍ତିଗତ ଲାଭ ପାଇଁ ଏହି କାର୍ଯ୍ୟ ଦୀର୍ଘଦିନ ଧରି ଚାଲିଆସୁଥିଲା।

ଘଟଣାସ୍ଥଳରୁ ବାଲି ବୋଝେଇ ଟାଟା ଟିପ୍ପରକୁ ଜବତ କରାଯାଇଥିଲା।ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚରୁ ଜଣାପଡ଼ିଛି ଯେ, ସେ ତମାଣ୍ଡୋ ଥାନା ଏବଂ ବୈଦେଶ୍ୱର ଥାନାରେ ସମାନ ପ୍ରକାର ମାମଲାରେ ପୂର୍ବରୁ ସମ୍ପୃକ୍ତ ରହିଥିବା ଜଣାପଡ଼ିଛି। ଅଭିଯୁକ୍ତ କୁରୁପା ମାଝୀଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେହିପରି ଧଉଳି ଥାନା ପୁଲିସ ତା୦୫.୦୬.୨୦୨୬ ରାତି ପ୍ରାୟ ୧୦.୩୦ ସମୟରେ ଏ.ଏସ୍.ଆଇ. ପ୍ରବୀର କୁମାର ଲେଙ୍କା ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଟିକରପଡ଼ା ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ଯାନବାହନ ଯାଞ୍ଚ ଡ୍ୟୁଟି କରୁଥିବା ସମୟରେ ରାତି ପ୍ରାୟ ୧୨.୩୦ ରେ ଟିକରପଡ଼ା ପଟରୁ ଧଉଳି ଅଭିମୁଖେ ଯାଉଥିବା ବାଲି ବୋଝେଇ ଏକ ହାଇୱା ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପୋଲିସ ଗାଡ଼ି ଅଟକାଇବାକୁ ସଙ୍କେତ ଦେବା ପରେ ଚାଳକ କିଛି ଦୂରରେ ଗାଡ଼ି ଅଟକାଇ ଚାବି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗାଡ଼ିରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା, ଯିଏ ନିଜର ପରିଚୟଖୋର୍ଦ୍ଧା ଜିଲ୍ଲା ଧଉଳି ଥାନା ବୁଧିପଡ଼ା ଗ୍ରାମର ପପୁ ଓରଫ ଦେବାଶିଷ ଜେନା ବୋଲି କହିଥିଲେ। ଯାଞ୍ଚ ସମୟରେ ସେ ନଦୀ ବାଲି ଖନନ, ପରିବହନ କିମ୍ବା ବହନ କରିବା ସମ୍ପର୍କିତ କୌଣସି ବୈଧ ପରମିଟ, “କେ” ଫର୍ମ, ଟ୍ରାନ୍ସିଟ ପାସ୍ କିମ୍ବା ଅନ୍ୟ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଉକ୍ତ ହାଇୱା ଗାଡ଼ିକୁ ଲିଜ୍‌ରେ ନେଇ ଫେରାର ଚାଳକଙ୍କ ସହ ମିଶି ଗଙ୍ଗୁଆ କେନାଲ ଅଞ୍ଚଳରୁ ବିନା ଅନୁମତିରେ ବେଆଇନ ଭାବରେ ବାଲି ଉତ୍ତୋଳନ ଏବଂ ପରିବହନ କରୁଥିଲେ। ପଚରାଉଚରା ସମୟରେ ଅଭିଯୁକ୍ତ ସ୍ୱୀକାର କରିଥିଲେ ଯେ, ଗାଡ଼ି ମାଲିକଙ୍କ ଅଜାଣତରେ ବ୍ୟକ୍ତିଗତ ଆର୍ଥିକ ଲାଭ ପାଇଁ ଏହି ବେଆଇନ କାର୍ଯ୍ୟ କରାଯାଉଥିଲା। ଏହି ବେଆଇନ ଖନନ ଓ ପରିବହନ ଦ୍ୱାରା ସରକାରୀ ରାଜସ୍ୱର କ୍ଷତି ଘଟିଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ତାଙ୍କ ହେପାଜତରୁ ବାଲି ବୋଝେଇ ହାଇୱା ଗାଡ଼ିକୁ ଜବତ କରାଯାଇଥିଲା। ପ୍ରମାଣରୁ ଅଭିଯୁକ୍ତଙ୍କ ବେଆଇନ ଉପର ମାଟି ପରିବହନରେ ସମ୍ପୃକ୍ତି ପ୍ରମାଣିତ ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ତାଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଫେରାର ଚାଳକଙ୍କୁ ଗିରଫ ପାଇଁ ଅଧିକ ତଦନ୍ତ ଜାରି ରହିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page