କବାଡିଆ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ;ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ

ବାଲିଅନ୍ତା,୨୪|୫():ବାଳକାଟି ଭାର୍ଗବୀ ସେତୁ ନିକଟରେ ଥିବା ଏକ କବାଡିଆ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଥିବା ବେଳେ ଏହାର ମାଲିକ ଆହତ ହୋଇଛନ୍ତି l ଆହତ ମାଲିକ ହେଲେ ବିଶ୍ୱଜିତ ମଣ୍ଡଳ l ତାଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଦୀପ ନିଆଁରୁ ଏଭଳି ହୋଇଥିବା ଅନୁମାନ କରାଯାଇଛି l ଖବରନେବାରେ ଜଣାପଡିଛି ବାଳକାଟି ଭାର୍ଗବୀ ସେତୁ ନିକଟ ନଦୀବନ୍ଧ ପାର୍ଶ୍ୱରେ ଦୀର୍ଘବର୍ଷ ହେବ ଏକ କବାଡିଆ ଗୋଦାମ ରହିଛି l

ପ୍ରତିଦିନ ଭଳି ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ଗୋଦାମର ମାଲିକ ଶ୍ରୀ ମଣ୍ଡଳଙ୍କ ପତ୍ନୀ ଉକ୍ତ କବାଡିଆ ଦୋକାନରେ ଘିଅଦୀପ ଲଗାଇ ପୂଜାର୍ଚ୍ଚନା କରିଥିଲେ l ଏହାର ପ୍ରାୟ ୩0 ମିନିଟ ପରେ ହଠାତ ଉକ୍ତ କବାଡିଆ ଦୋକାନରୁ ଧୂଆଁ ବାହାରିଥିଲା l ଶ୍ରୀ ମଣ୍ଡଳ ସଙ୍ଗେ ସଙ୍ଗେ ଦୋକାନ ଭିତରେ ପ୍ରବେଶ କରିବା ମାତ୍ରେ ନିଆଁ ଜଳୁଥିବା ଦେଖିବାକୁ ପାଇଲେ l ସେ କ୍ୟାସ ଡ୍ର ସହ ଅନ୍ୟାନ୍ୟ ସାମଗ୍ରୀକୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ନିଆଁ ତାଙ୍କ ଦେହରେ ଲାଗିଯାଇଥିଲା l ଫଳରେ ସେ ଆହତ ହୋଇଥିଲେ l

ଧିରେ ଧିରେ ନିଆଁ ଅନ୍ୟ ଜାଗାକୁ ବ୍ୟାପିଥିଲା l ଗୋଦାମରେ କାର୍ଯ୍ୟରତ କର୍ମଚାରୀ ମାନେ ବାଲଟି ଯୋଗେ ପାଣି ନେଇ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇନଥିଲା l ଗୋଦାମ ମଧ୍ୟରେ ପ୍ଲାଷ୍ଟିକ, କାଗଜ ପେଟି ଥିବାରୁ କ୍ଷଣିକ ମଧ୍ୟରେ ସମ୍ପୂର୍ଣ୍ଣ ସାମଗ୍ରୀରେ ନିଆଁ ଲାଗିଯାଇଥିଲା l ସେହିପରି ଏହାର ପ୍ରଭାବରେ ନିକଟରେ ତିଆରି ହେଉଥିବା ଏକ ଉଚଶକ୍ତିସମ୍ପର୍ଣ୍ଣ ପାଣିଟାଙ୍କିର ବାଉଁଶ ମଧ୍ୟ ଯଲିଯାଇଥିଲା l

ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ବାଲିଅନ୍ତା ଏବଂ କଳ୍ପନା ଅଗ୍ନିଶମ ବିଭାଗର ୩ ଟି ଗାଡିର କର୍ମଚାରୀ ମାନେ ପ୍ରାୟ ୩0 ମିନିଟର ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ l ମାତ୍ର ନିଆଁର ପ୍ରଭାବ ଏତେ ଥିଲା ଯେ କବାଡିଆ ସାମଗ୍ରୀ ସବୁ ପୋଡି ପାଉଁଶ ହୋଇଯାଇଥିଲା l ଏପରିକି ଆକାଶ ସାରା କଳା ଧୂଆଁ ବ୍ୟାପି ଯାଇଥିଲା l

ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଥିଲେ ମଧ୍ୟ ନିକଟରେ କୌଣସି ଜନବସତୀ ନଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page