ଭୁବନେଶ୍ୱର, ଓଡ଼ିଶା | ୦୮ ମେ ୨୦୨୬
ଓଡ଼ିଶାର ଲକ୍ଷାଧିକ ଅଭିଭାବକ ଓ ଛାତ୍ର-ଛାତ୍ରୀଙ୍କ ପକ୍ଷରୁ ଓଡ଼ିଶା ଅଭିଭାବକ ମହାସଂଘ ସିଏଚ୍ଏସ୍ଇ, ଓଡ଼ିଶା ଦ୍ୱାରା +୨ ପରୀକ୍ଷା ୨୦୨୬ର ପ୍ରାୟ ଚାରି ଲକ୍ଷ ଛାତ୍ର-ଛାତ୍ରୀଙ୍କ ଉତ୍ତରପତ୍ର ଇ-ମୂଲ୍ୟାଙ୍କନ କାର୍ଯ୍ୟରେ ହୋଇଥିବା ଗମ୍ଭୀର ଟେଣ୍ଡର ଅନିୟମିତତା ଏବଂ ଆଇନ୍ ଲଙ୍ଘନକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି।
ମହାସଂଘର ସଭାପତି ଶ୍ରୀ ବାସୁଦେବ ଭଟ୍ଟ ମୁଖ୍ୟ ଶାସନ ସଚିବଙ୍କୁ ଏକ କଡା ଭାଷାରେ ଲିଖିତ ପତ୍ରରେ ଅଭିଯୋଗ କରିଛନ୍ତି ଯେ, ସିଏଚ୍ଏସ୍ଇ ଅତ୍ୟନ୍ତ ସ୍ପର୍ଶକାତର ଏହି କାର୍ଯ୍ୟକୁ ଏକ ବିବାଦୀୟ ଅତୀତ ଥିବା ହାଇଦ୍ରାବାଦ କମ୍ପାନୀକୁ ଦେଇଛି।
ମୁଖ୍ୟ ଅଭିଯୋଗଗୁଡ଼ିକ:
- ସିଏଚ୍ଏସ୍ଇ ଏହି କାର୍ଯ୍ୟ କୋଏମ୍ପ୍ଟ ଏଜୁଟେକ୍ ପ୍ରାଇଭେଟ୍ ଲିମିଟେଡ୍ (ପୂର୍ବରୁ ଗ୍ଲୋବାରେନା ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍) ନାମକ କମ୍ପାନୀକୁ ଦେଇଛି। ଏହି କମ୍ପାନୀ ୨୦୧୯ ତେଲେଙ୍ଗାନା ଇଣ୍ଟରମିଡିଏଟ୍ ପରୀକ୍ଷା ଦୁର୍ଘଟଣାରେ ଜଡ଼ିତ ଥିଲା ଯେଉଁଥିରେ ୩୨ ଜଣ ଛାତ୍ର-ଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା।
- ଏହି କମ୍ପାନୀ ସମଗ୍ର କାର୍ଯ୍ୟକୁ ଅନଧିକୃତ ଭାବେ କୋଡ୍ତନ୍ତ୍ର ଟେକ୍ ସୋଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ କୁ ସବ-କଣ୍ଟ୍ରାକ୍ଟ ଦେଇଛି, ଯାହା ସିଏଚ୍ଏସ୍ଇ ଦ୍ୱାରା ୦୭.୦୧.୨୦୨୬ ତାରିଖରେ ପ୍ରକାଶିତ ଆର୍ଏଫ୍ପିର ସ୍ପଷ୍ଟ ଉଲ୍ଲଙ୍ଘନ।
- ଏପ୍ରିଲ ୧୮, ୨୦୨୬ ଦିନ କୋଡ୍ତନ୍ତ୍ରର ସର୍ଭର କ୍ରାଶ୍ ହୋଇ ମୂଲ୍ୟାଙ୍କନ କାର୍ଯ୍ୟ କେଇ ଘଣ୍ଟା ପାଇଁ ବନ୍ଦ ହୋଇଥିଲା, ଯାହା ଓଡ଼ିଶାର ହଜାର ହଜାର ମୂଲ୍ୟାଙ୍କନକାରୀଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି କରିଥିଲା।
ଆର୍ଏଫ୍ପିର ଉଲ୍ଲଙ୍ଘିତ ଧାରାଗୁଡ଼ିକ: - ଧାରା ୨.୨୭ (ପୃଷ୍ଠା ୯) – ସବ-କଣ୍ଟ୍ରାକ୍ଟିଂ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ।
- ଧାରା ୩.ଏଲ୍.୧ ଓ ୪.୧୬ – ସଫ୍ଟୱେୟାର ବିଡରଙ୍କ ନିଜସ୍ୱ ଡେଭଲପ୍ମେଣ୍ଟ ହେବା ଆବଶ୍ୟକ।
- ଧାରା ୪.୧୫ – ଏଣ୍ଡ-ଟୁ-ଏଣ୍ଡ ଏକ୍ସିକ୍ୟୁସନ୍ ବିଡ୍ଡର ଦ୍ୱାରା ହେବ।
- ଡାଟା ସୁରକ୍ଷା, ସେର୍ଟ-ଇନ୍ କମ୍ପ୍ଲାଏନ୍ସ ଏବଂ ଛାତ୍ର ଡାଟା ସୁରକ୍ଷା ସମ୍ପର୍କିତ ଅନେକ ଧାରା।
ଓଡ଼ିଶା ଅଭିଭାବକ ମହାସଂଘର ଦାବି:
୧. ଡେଭଲପମେଣ୍ଟ କମିଶନର, ଓଡ଼ିଶାଙ୍କ ଦ୍ୱାରା ସମଗ୍ର ଟେଣ୍ଡର ପ୍ରକ୍ରିୟାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ।
୨. ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ ସମ୍ପୃକ୍ତ ବିଭାଗ ଓ ସିଏଚ୍ଏସ୍ଇ ଅଧିକାରୀଙ୍କ ସହ ଜରୁରୀ ବୈଠକ।
୩. କୋଏମ୍ପ୍ଟ ଏଜୁଟେକ୍ ସହିତ ଚୁକ୍ତି ରଦ୍ଦ ଏବଂ କମ୍ପାନୀକୁ ବ୍ଲାକ୍ଲିଷ୍ଟିଂ କରାଯାଉ ।
୪. ଚଳିତ ମୂଲ୍ୟାଙ୍କନ ପ୍ରକ୍ରିୟାର ପୂର୍ଣ୍ଣ ଅଡିଟ୍ ଏବଂ ସବ-କଣ୍ଟ୍ରାକ୍ଟର ଭୂମିକାର ସମ୍ପୂର୍ଣ୍ଣ ସ୍ୱଚ୍ଛତା ସମ୍ବନ୍ଧରେ ଏକ ଲିଖିତ ପତ୍ର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଦିଆଯାଉ ।
୫. ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ।
୬. କୌଣସି ଛାତ୍ର-ଛାତ୍ରୀ ଏହି ଦୋଷପୂର୍ଣ୍ଣ ପ୍ରକ୍ରିୟା ଯୋଗୁଁ ଯେପରି କ୍ଷତିଗ୍ରସ୍ତ ଣ ହୁଅନ୍ତି ସେନିମିତ ଲିଖିତ ଦେବାକୁ ଦାବି କରିଛି ।ଓଡିଶା ଅଭିଭାବକ ମହାସଂଘ ସଭାପତି ଶ୍ରୀ ବାସୁଦେବ ଭଟ୍ଟ କହିଛନ୍ତି, “ଚାରି ଲକ୍ଷ ନିରୀହ ଓଡ଼ିଆ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ ବିପନ୍ନ ହୋଇଛି। ପରୀକ୍ଷା ପ୍ରକ୍ରିୟାର ସତ୍ୟତା ସହ କୌଣସି ସାଲିସ ହୋଇପାରିବ ନାହିଁ। ମୁଖ୍ୟ ଶାସନ ସଚିବଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଆମେ ଦାବି କରୁଛୁ।”
ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର ନ କଲେ ଓଡ଼ିଶାରେ ବିରାଟ ଛାତ୍ର ଓ ଅଭିଭାବକ ଆନ୍ଦୋଳନ ଗଢ଼ିତୋଳିବ ବୋଲି ମହାସଚିବ ଅଶୋକ ପାଇକରାୟ, କାଯ୍ୟକାରୀ ସଭାପତି ସତ୍ୟବ୍ରତ ପରିଜା ଓ ପ୍ରସନ୍ନ ବିଷୋୟୀ, ସାଧାରଣ ସମ୍ପାଦକ ସତ୍ୟଜିତ ଦାଶ ଓ ସତ୍ୟନାରାୟଣ ଜେନା, ସମ୍ପାଦକ ପ୍ରକାଶ ମିଶ୍ର ପ୍ରକାଶ କରିଛନ୍ତି l