ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିନ ଦ୍ୱିପ୍ରହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ନିକଟରେ ଲୁଟ୍ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ତେବେ ବ୍ୟାଙ୍କ କର୍ମଚାରୀଙ୍କ ସାହସ ଓ ପ୍ରତିରୋଧ ଯୋଗୁଁ ଲୁଟେରାଙ୍କ ଯୋଜନା ବିଫଳ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ବାଲୁଗାଁ PNB ଶାଖା ନିକଟସ୍ଥ ATMରୁ ବ୍ୟାଙ୍କର କ୍ୟାସିୟର ରମେଶ ବେହେରାଙ୍କ ସମେତ ଦୁଇଜଣ କର୍ମଚାରୀ ପ୍ରାୟ ୨୮ ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଫେରୁଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ଦୁଇଜଣ ଲୁଟେରା ସେମାନଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ବ୍ୟାଙ୍କ କର୍ମଚାରୀଙ୍କ ମୁହଁରେ କୌଣସି ଏକ ସ୍ପ୍ରେ ମାରି ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି। ହେଲେ କର୍ମଚାରୀମାନେ ଭୟଭୀତ ନହୋଇ ଲୁଟେରାଙ୍କୁ ପ୍ରତିରୋଧ କରିଥିଲେ। ଘଟଣାସ୍ଥଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ଏହାର ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି। ଏହି ସମୟରେ ଘଟଣାସ୍ଥଳରୁ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଓ ଅନ୍ୟ ବ୍ୟାଙ୍କ କର୍ମଚାରୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଫଳରେ ଲୁଟେରାମାନେ ସେଠାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। CCTV ଫୁଟେଜ୍କୁ ଆଧାର କରି ଲୁଟେରାଙ୍କ ପରିଚୟ ଓ ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ନେଇ ତଦନ୍ତ ଚାଲିଥିବା ଜଣାପଡ଼ିଛି। ପୋଲିସକୁ ସୂଚନା ଦେଇନଥିବା ଅଭିଯୋଗ
ଘଟଣାକୁ ନେଇ ଆଉ ଏକ ଗୁରୁତର ପ୍ରସଙ୍ଗ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ବ୍ୟାଙ୍କ ପକ୍ଷରୁ ଅଧିକ ପରିମାଣର ନଗଦ ଟଙ୍କା ସ୍ଥାନାନ୍ତର କରାଗଲେ ପୂର୍ବରୁ ପୋଲିସକୁ ଜଣାଇବା ପାଇଁ ପୋଲିସ ପକ୍ଷରୁ ବ୍ୟାଙ୍କକୁ ସୂଚନା ଦିଆଯାଇଥିଲା। ତେବେ ଏହି ନିର୍ଦ୍ଦେଶ ସତ୍ତ୍ୱେ ଏଥର ଟଙ୍କା ସ୍ଥାନାନ୍ତର ସମ୍ପର୍କରେ ପୋଲିସକୁ ଅବଗତ କରାଯାଇନଥିବା ଅଭିଯୋଗ ହୋଇଛି। ଏହା ଯୋଗୁଁ ପୋଲିସ ପକ୍ଷରୁ ସମୟ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କିମ୍ବା ପାଟ୍ରୋଲିଂ କରିବା ସମ୍ଭବ ହୋଇନଥିବା ଚର୍ଚ୍ଚା ହେଉଛି। ତେବେ ଏ ସମ୍ପର୍କରେ ବ୍ୟାଙ୍କ କିମ୍ବା ପୋଲିସ ପକ୍ଷରୁ ଆଧିକାରିକ ଭାବେ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।
ପାଟ୍ରୋଲିଂ ବଢ଼ାଇବାକୁ ଦାବି
ଘଟଣା ପରେ ବାଲୁଗାଁ ସହରରେ ପୋଲିସ ପାଟ୍ରୋଲିଂକୁ ନେଇ ପ୍ରଶ୍ନ ଉଠିଛି। ସାଧାରଣରେ ଚର୍ଚ୍ଚା ହେଉଛି ଯେ, ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ପ୍ରତିଷ୍ଠାନ ନିକଟରେ ନିୟମିତ ଏବଂ ଅଧିକ ପୋଲିସ ପାଟ୍ରୋଲିଂ ହେଲେ ଏଭଳି ଘଟଣାକୁ ରୋକିବାରେ ସହାୟତା ମିଳିପାରେ। ତେଣୁ ବାଲୁଗାଁ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ସ୍ଥାନୀୟ ମହଲରୁ ଦାବି ହୋଇଛି।

ବାଲୁଗାଁ ପ୍ରତିନିଧି
ଆଦିତ୍ୟ ନାରାୟଣ ବେହେରା